ପୂର୍ବତନ ବିଡ଼ିଓଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ
ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଡ଼ିଓ । ବଲାଙ୍ଗୀର ଆଗଲପୁର ବ୍ଲକର ପୂର୍ବତନ ବିଡ଼ିଓ ସିଲଭାନସ ଲାକ୍ରାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହିତ ପାଞ୍ଚ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ନାଁରେ ବଲାଙ୍ଗୀର ଭିଜିଲାନ୍ସ ମାମଲା ରୁଜୁ କରିଥିଲା । ଆଉ ଏହାର ୧୧ ବର୍ଷ ପରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ସୂଚନା ମୁତାବକ, ୨୦୧୨ ମସିହାରେ ସିଲଭାନସ ଲାକ୍ରାଙ୍କ ନାଁରେ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରିଥିଲା । ଭିଜିଲାନ୍ସ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୨ ବର୍ଷର କାରାଦଣ୍ଡାଦେଶ ସହିତ ୫ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା କରିଛନ୍ତି । ସେହିପରି ଜରିମାନା ଟଙ୍କା ଅନାଦେୟ ହେଲେ ଅଧିକ ୫ ମାସର କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ କହିଛନ୍ତି କୋର୍ଟ । କୋର୍ଟଙ୍କ ଏହି ରାୟ ପରେ ଏବେ ଭିଜିଲାନ୍ସ ବିଭାଗ ତାଙ୍କର ପେନସନ ବନ୍ଦ ପାଇଁ ସରକାରଙ୍କୁ ଚିଠି ଲେଖିବ ବୋଲି ସୂଚନା ମିଳିଛି ।
Powered by Froala Editor