ଦିଲ୍ଲୀର ‘କର୍ତ୍ତବ୍ୟ ପଥ’ ଫୁଟ୍ପାଥ୍ରେ ପଦ୍ମଶ୍ରୀ ପୁରସ୍କାର ଛାଡ଼ି ପଳାଇଲେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ୟାତନା ଦେବା ଭଳି ଗମ୍ଭୀର ଅଭିଯୋଗରେ ଅଭିଯୁକ୍ତ କୁସ୍ତି ମହାସଂଘର ବିଦାୟୀ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘ ର ସଭାପତି ନିର୍ବାଚିତ ହେବା ପରେ ମର୍ମାହତ ହୋଇଥିବା ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଦିଲ୍ଲୀର ‘କର୍ତ୍ତବ୍ୟ ପଥ’ର ଫୁଟ୍ପାଥ୍ରେ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଛାଡ଼ି ପଳାଇଲେ। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଚିଠି ସହିତ ସେ ପଦ୍ମଶ୍ରୀ ପୁରସ୍କାରକୁ ସେଠାରେ ଛାଡ଼ି ଚାଲି ଯାଇଛନ୍ତି। ଏହା ପୂର୍ବରୁ ସେ ସୋଶାଲ ମିଡିଆ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ପଦ୍ମଶ୍ରୀ ପୁରସ୍କାର ଫେରାସ୍ତ କରୁଥିବା କଥା ଲେଥିଲେ।‘କର୍ତ୍ତବ୍ୟ ପଥ’ର ଫୁଟ୍ପାଥ୍ରେ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଛାଡ଼ି ପଳାଇ ଯିବା ପରେ ପୁନିଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ କାର୍ୟ୍ୟ ବ୍ୟସ୍ତ ଥିବା ଯୋଗୁ ତାଙ୍କୁ ଭେଟିବା ସମ୍ଭବ ହେଲା ନାହିଁ। ସେ ପଦ୍ମଶ୍ରୀ ପୁରସ୍କାରକୁ ଆଉ ଘରକୁ ନେଇ ଯିବେ ନାହିଁ।
ସେ ଆହୁରି କହିଥିଲେ, ମୁଁ ପୂର୍ବରୁ ଯାହା କହିଥିଲି, ଏବେ ବି କହୁଛି। ଆମେ ଆମ ଝିଅ ଓ ଭଉଣୀଙ୍କ ପାଇଁ ଲଢ଼ୁଛୁ। ଆମେ ସେମାନଙ୍କ ଠାରୁ ନ୍ୟାୟ ପାଇଲୁ ନାହିଁ। ସେଥିପାଇଁ ମୁଁ ଭାବିଲି ଯେ ମୁଁ ଏହି ସମ୍ମାନର ଅଧିକାରୀ ନୁହେଁ। ମୁଁ ମୋ ପୁରସ୍କାର ଫେରାଇ ଦେବା ପାଇଁ ଆସିଥିଲି। ତେବେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିଲି ନାହିଁ। କାରଣ ମୁଁ ପୂର୍ବରୁ ଏନେଇ ସମୟ ମାଗି ନଥିଲି। ପ୍ରଧାନମନ୍ତ୍ରୀଙ୍କର ବ୍ୟସ୍ତ କାର୍ୟ୍ୟସୂଚୀ ରହିଛି। ତେଣୁ ମୁଁ ମୋ ପୁରସ୍କାର ଏଠାରେ ଛାଡ଼ି ଚାଲି ଯାଉଛି। ମୁଁ ଏହାକୁ ଆଉ ମୋ ଘରକୁ ଫେରାଇ ନେବି ନାହିଁ।
ଆଶା କରେ ଆପଣ ସୁସ୍ଥ ଥିବେ। ଆପଣ ଦେଶ ସେବାରେ ବ୍ୟସ୍ତ ଥିବେ। ଆପଣଙ୍କ କାର୍ୟ୍ୟ ବ୍ୟସ୍ତତା ଭିତରେ ମୁଁ ଆପଣଙ୍କ ଧ୍ୟାନ କୁସ୍ତି ଆଡ଼କୁ ଟାଣିବାକୁ ଚାହୁଁଛି। ଆପଣ ଜାଣିଥିବେ, ଚଳିତ ବର୍ଷ ଜାନୁଆରୀ ମାସରେ ଦେଶର ମହିଳା କୁସ୍ତିଯୋଦ୍ଧାମାନେ କୁସ୍ତି ସଂଘକୁ କବଜା କରି ରଖିଥିବା ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ୟାତନା ଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ। ଯେତେବେଳେ ସେହି ମହିଳା କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ ଆରମ୍ଭ କଲେ, ସେତେବେଳେ ମୁଁ ମଧ୍ୟ ସେଥିରେ ସାମିଲ ହୋଇଥିଲି। ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ଜାନୁଆରୀରେ ଆନ୍ଦୋଳନକାରୀମାନେ ନିଜ ନିଜ ଘରକୁ ଫେରି ଯାଇଥିଲେ। କିନ୍ତୁ ତିନି ମାସ ପରେ ବି ବ୍ରିଜଭୂଷଣଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ନ ହେବାରୁ ଏପ୍ରିଲ ମାସରେ କୁସ୍ତିଯୋଦ୍ଧାମାନେ ପୁଣି ରାସ୍ତାକୁ ଓହ୍ଲାଇଥିଲେ। ଦିଲ୍ଲୀ ପୁଲିସ୍ ଅତିକମ୍ରେ ତାଙ୍କ ନାଁରେ ଏଫଆଇଆର ରୁଜୁ କରୁ ବୋଲି ଆଶା ରଖି କୁସ୍ତିଯୋଦ୍ଧାମାନେ ଦ୍ୱିତୀୟ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ। କିନ୍ତୁ ତାହା ହେଲା ନାହିଁ। ତେଣୁ ଆମକୁ କୋର୍ଟ ଯାଇ ଏଫଆଇଆର ଦେବାକୁ ପଡ଼ିଲା।
Powered by Froala Editor