ସଂସଦ ଶୀତ ଅଧିବେଶନରେ ୧୯ ବିଲ୍ ପାସ୍

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଶେଷ ହୋଇଛି । ଅଧିବେଶନ ଆଜି ଶେଷ ହେବାକୁ ଥିବା ବେଳେ, ଦିନକ ପୂର୍ବରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା । ଶୀତ ଅଧିବେଶନ ଶେଷ ହେବା ପରେ, ଅଧିବେଶନ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଚଳିତ ଶୀତ ଅଧିବେଶନକୁ ଐତିହାସିକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସଂସଦର ଶୀତକାଳୀନ ଅଧିବେଶନ ସଂପର୍କରେ ସୂଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ତିନିଟି ଐତିହାସିକ ବିଲ୍ ସଂସଦର ଅନୁମୋଦନ ଲାଭ କରିଛି । ସଗୁଡ଼ିକ ହେଲା - ଭାରତୀୟ ନାଗରିକ ସୁରକ୍ଷା ସଂହିତା- ୨୦୨୩, ଭାରତୀୟ ନ୍ୟାୟ ସଂହିତା- ୨୦୨୩ ଏବଂ ଭାରତୀୟ ସାକ୍ଷ ଅଧିନିୟମ -୨୦୨୩ । କ୍ରିମିନାଲ ଲ ସଂପର୍କିତ ଏହି ତିନିଟି ବିଲ୍ ଗତକାଲି ରାଜ୍ୟସଭାରେ ପାସ୍ ହୋଇଥିଲା । ପୂର୍ବରୁ ଏସବୁ ବିଲ୍ ଲୋକସଭାରେ ପାସ୍ ହୋଇ ସାରିଥିଲା । ଏହି ବିଲଗୁଡ଼ିକ ସଂସଦରେ ପାସ୍ ହୋଇସାରିଥିବା ବେଳେ, ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପାଠାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୋହର ଲଗାଇବା ପରେ, ଆଇନରେ ପରିଣତ ହେବ ।
ସଂସଦର ଶୀତ ଅଧିବେଶରେ ସୁରକ୍ଷା ଭଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ ବିରୋଧୀ। ଡିସେମ୍ବର ୧୩ରେ ଲୋକସଭାରେ ପଶି ଆତଙ୍କ ସୃଷ୍ଟି କରିଥିଲେ ଦୁଇ ଜଣ ବ୍ୟକ୍ତି। ଏହାକୁ ନେଇ ବିରୋଧୀ ଦଳ ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ସହ ଗୃହ କାର୍ୟ୍ୟରେ ବ୍ୟାଘାତ ସୃଷ୍ଟି କରିଥିଲେ। ବିରୋଧୀ ସଂଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ ଏବଂ ହଲ୍ଲାବୋଲ ଯୋଗୁଁ , ଅଧାରୁ ଅଧିକ ଦିନ ଗୃହ ଚାଲି ପାରିନଥିଲା। ବିରୋଧୀ ସାଂସଦଙ୍କ ଅଶୋଭନୀୟ ଆଚରଣ ପାଇଁ ଶୀତଅଧିବେଶନରୁ ମୋଟ ୧୪୬ ଜଣ ସାଂସଦଙ୍କ ନିଲମ୍ବନ କରାଯାଇଥିଲା।
ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିଲା ସଂସଦର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୨୨ରେ ଶେଷ ହେବାକୁ ଥିବା ବେଳେ, ଦିନକ ପୂର୍ବରୁ ଅର୍ଥାତ ଡିସେମ୍ବର ୨୧ରେ ଶେଷ ହୋଇଥିଲା । ୧୮ ଦିନିଆ ଅଧିବେଶରେ ୧୪ ଦିନ ଗୃହ ଚାଲିଥିଲା । ଏହି ଅଧିବେଶନରେ ମୋଟ ୧୯ଟି ବିଲ୍ ପାସ୍ ହୋଇଛି । ଲୋକସଭାରେ ୧୮ଟି ବିଲ୍ ପାସ ହୋଇଥିବା ବେଳେ, ରାଜ୍ୟସଭାରେ ପାସ୍ ହୋଇଛି ୧୭ଟି ବିଲ୍ ।
Powered by Froala Editor