ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର, ଫେରି ପାଇଲେ ସଦସ୍ୟତା

ଆମ୍ ଆଦମୀ ପାର୍ଟି(ଆପ୍)ର ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର। ୧୧୫ଦିନ ପରେ ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି। ରାଜ୍ୟସଭାରେ ଏନେଇ ଏକ ପ୍ରସ୍ତାବ ପାରିତ କରାଯାଇଛି।
ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏହାପରେ ରାଜ୍ୟସଭାରେ ଏହି ଆପ୍ ସାଂସଦଙ୍କ ନିଲମ୍ବକୁ ଫେରାଇ ନେବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏନେଇ ରାଜ୍ୟସଭାରେ ଏକ ବୈଠକ ମଧ୍ୟ ହୋଇଥିଲା। ବୈଠକ ପରେ ରାଜ୍ୟସଭା ଅଧ୍ୟକ୍ଷ ଚଡ୍ଡାଙ୍କୁ ସଦସ୍ୟତା ଫେରାଇବାକୁ ନିଷ୍ପତ୍ତି ନେଇଥିଲେ।
ଗତ ଅଗଷ୍ଟ ୧୧ ତାରିଖରେ ଆପ୍ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା। କେନ୍ଦ୍ର ସରକାର ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ (ସଂଶୋଧନ) ବିଲ୍ ୨୦୨୩କୁ ଯାଞ୍ଚ କରିବା ପାଇଁ ଏକ ପ୍ରସ୍ତାବିତ ସିଲେକ୍ଟ କମିଟିର ସଦସ୍ୟଭାବେ ସେ ଯେଉଁ କେତେଜଣ ସାଂସଦଙ୍କ ନାମ ଦେଇଥିଲେ ସେମାନଙ୍କର ଅନୁମତି ପୂର୍ବରୁ ନେଇ ନଥିଲେ। ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ହେଲେ ରାଜ୍ୟସଭାରେ ବିଜେପି ସାଂସଦ ନରସିଂହ ରାଓ ରାଘବଙ୍କୁ ମିଳିଥିବା ଦଣ୍ଡ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଇଥିଲେ। ରାଘବ କରିଥିବା ଭୁଲ ପାଇଁ ତାଙ୍କୁ ଯଥେଷ୍ଟ ଦଣ୍ଡ ମିଳିସାରିଛି। ଏବେ ତାଙ୍କର ନିଲମ୍ବନ ପ୍ରତ୍ୟାହାର କରାଯାଉ ବୋଲି ବିଜେପି ସାଂସଦ ପ୍ରସ୍ତାବ ଦେବା ପରେ ଏହାକୁ ଗ୍ରହଣ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର।
ସେପଟେ ଆପ୍ ସାଂସଦ ରାଘବ ଚଡ୍ଡା ତାଙ୍କ ନିଲମ୍ବନ ହଟିଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ ଓ ରାଜ୍ୟସଭା ସଭାପତି ଜଗଦୀପ ଧନଖଡେଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Powered by Froala Editor