ଗଭୀର ଅବପାତର ରୂପ ନେବ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ । ଶୁକ୍ରବାର ଏହା ଗଭୀର ଅବପାତର ରୂପ ନେବ । ଫଳରେ ଏହି ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଆସନ୍ତା ଡିସେମ୍ୱର ୪ ଓ ୫ ତାରିଖରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ୫ ଓ ୬ରେ ଉତ୍ତର ଉପକୂଳ ଜିଲ୍ଲାରେ ବର୍ଷା ହୋଇପାରେ ।
ସମୁଦ୍ର ସଂଲଗ୍ନ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଅଧିକ ବର୍ଷା ହେବ । ଗଞ୍ଜାମ, ଗଜପତି, ରାୟଗଡ଼ା, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜରେ କମ୍ ବର୍ଷା ହେବ । କିନ୍ତୁ ପବନର ଭୟ ନାହିଁ । ବୁଧବାର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଲଘୁଚାପ ଡିସେମ୍ବର ୧ରେ ଗଭୀର ଅବପାତରେ ପରିଣତ ହେବ । ଗଭୀର ଅବପାତ ରୂପ ନେବା ପରେ ଏହା କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଉପରେ ରହିବ । ପରେ ଏହା କେଉଁ ଦିଗକୁ ଗତି କରିବ ଓ ଏହାର ତୀବ୍ରତା କଣ ରହିବ ତାକୁ ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ ଦେଉଛନ୍ତି ।ଡିସେମ୍ବର ୨ତାରିଖ ଯାଏ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ରହିବ । ପରେ ଏହା ପୁଣି ଦିଗ ବଦଳାଇବ । ୩ ତାରିଖରେ ଏହା ବାତ୍ୟା ରୂପ ନେବ । ୪ରୁ ଉତ୍ତର ପୂର୍ବରେ ଗତି କରି ୬ ତାରିଖ ସୁଦ୍ଧା ବାଂଲାଦେଶ ଉପକୂଳ ଛୁଇଁବ । ସେପଟେ ୨ ତାରିଖରେ ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି । ୧ ତାରିଖରୁ ସକାଳ ପରଠାରୁ କୌଣସି ମତ୍ସଜୀବୀ କେନ୍ଦ୍ରୀୟ ବଙ୍ଗୋପସାଗର ଭିତରକୁ ନଯିବାକୁ ସତର୍କତା ଜାରି କରାଯାଇଛି ।
Powered by Froala Editor