ନାତୁଣୀକୁ ଜେଜେର ଦୁଷ୍କର୍ମ ଉଦ୍ୟମ, ପୁଲିସ ଜିମା ଦେଲେ ପଡ଼ୋଶୀ
ବାଲିଅନ୍ତା: ପଡ଼ୋଶୀ ପୁଣି ସମ୍ପର୍କରେ ଜେଜେ। ତେଣୁ ସ୍ବାଭାବିକ ଭାବେ ଜେଜେ-ନାତୁଣୀ ଭିତରେ ଥଟାମଜା ହେଉଥିଲା। କିନ୍ତୁ ଏହି ଥଟାମଜାକୁ ମଉକା ଭାବେ ନେଇ ଜେଜେ ନାବାଳିକା ନାତୁଣୀଙ୍କୁ ଘରୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କଲେ। ସୌଭାଗ୍ୟକୁ ନାବାଳିକାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଠିକଣା ସମୟରେ ପହଞ୍ଚିଗଲେ। ଲୋକେ ଜେଜେକୁ ବହେ ଛେଚିବା ପରେ ପୁଲିସ ଜିମା ଦେଲେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲିଅନ୍ତା ଥାନା ଅଞ୍ଚଳରେ। ଆଜି ପୁଲିସ ଅଭିଯୁକ୍ତକୁ ମାମଲା ସଂଖ୍ୟା- ୪୧୩/ ୨୩ରେ କୋର୍ଟ ଚାଲାଣ କରିଛି ଏବଂ ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ପୁଲିସ ସୂଚନାନୁସାରେ ଅଭିଯୁକ୍ତ ଅଜୟର ବୟସ ୪୮ ଏବଂ ସେ ବିବାହିତ। ପୁଣି ତା’ର ୧୮ ବର୍ଷ ବୟସର ପୁଅଟିଏ ବି ଅଛି। କିନ୍ତୁ ସେ ପଡ଼ୋଶୀ ଘରର ନାବାଳିକାଙ୍କ ଉପରେ ଲୋଲୁପଦୃଷ୍ଟି ରଖିଥିଲା। ଜେଜେ ନାତୁଣୀ ସମ୍ପର୍କ ପାଇଁ ସେମାନେ ଥଟାମଜା ହେଉଥିଲେ। ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକାର ଥଟା ଜେଜେ ଅଜୟ ମନରେ ଆହୁରି ବିଷ ଭରିଦେଇଥିଲା। ଗତକାଲି ସନ୍ଧ୍ୟାରେ ନାବାଳିକା ତାଙ୍କ ଘରେ ଏକୁଟିଆ ଥିଲେ। ମଉକା ଅପେକ୍ଷାରେ ଥିବା ଅଜୟ ଥଟାମଜା କରିବା ବାହାନାରେ ନାବାଳିକାଙ୍କୁ ଘରୁ ବାଡ଼ିପଟକୁ ଟେକିନେଇ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିବାକୁ ବସିଥିଲା। ଅଜୟ ନାବାଳିକାଙ୍କ ମୁହଁକୁ ଚାପି ଧରିଥିଲେ ବି ନାବାଳିକା ସବୁ ବଳ ଖଟାଇ ମୁହଁରୁ ତା’ ହାତକୁ ବାହାର କରି ଚିତ୍କାର କରିଥିଲେ। ପାଟି ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁଥିଲେ। ଅଜୟ ଖସିଯିବା ପୂର୍ବରୁ ଲୋକେ ତାକୁ କାବୁ କରି ନିର୍ଧୁମ୍ ଛେଚିଥିଲେ।
Powered by Froala Editor