ନିଶା, ଟଙ୍କାକୁ ନେଇ କଳି : ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଦେଲା ଯୁବକ
ଭୁବନେଶ୍ୱର ବଡଗଡ ଥାନା କେଶୁରା ଗାଁ । ଦିନ ବେଳା ସମସ୍ତଙ୍କ ଚଳପ୍ରଚଳ । ହେଲେ ଗାଁର ଲକ୍ଷ୍ମଣ ପ୍ରଧାନ ହଠାତ୍ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଆଖପାଖ ଲୋକ କିଛି ବୁଝିବା ଆଗରୁ ସେ ଜଳିଗଲେ । ଲୋକମାନେ ପାଣି ଢାଳି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେବି ତାଙ୍କର ମୃତ୍ୟୁ ଘଟିଛି । ପାରିବାରିକ ଗଣ୍ଡଗୋଳ, ଟଙ୍କା, ନିଶାକୁ ନେଇ ଏଭଳି ଘଟଣା ହୋଇଥିବା ଜଣାପଡିଛି ।
କେଶୁରା ଗାଁର ଲକ୍ଷ୍ମଣ ପ୍ରଧାନ ପେସାରେ ଜଣେ ଅଟୋ ଡ୍ରାଇଭର। ୮ ବର୍ଷ ତଳେ ବିବାହ କରିଥିଲେ ଲକ୍ଷ୍ମଣ। ତାଙ୍କର ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି। ଅଟୋ ଚଲାଇ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ହେଲେ ମଙ୍ଗଳବାର ଅପରାହ୍ନରେ ଲକ୍ଷ୍ମଣ ନିଜ ଦେହରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେଲେ ।
ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଧଳା ରଙ୍ଗର ଏକ ସ୍କୁଟିରେ ଲକ୍ଷ୍ମଣ ଘର ପାଖରେ ପହଞ୍ଚିଥିଲେ। ସେତେବେଳେ ଗାଁ ଲୋକମାନେ ନିଜ ଘର ପିଣ୍ଡାରେ ବସିଥିଲେ। କେହି କିଛି ବୁଝିବା ଆଗରୁ ଲକ୍ଷ୍ମଣ ନିଜ ସ୍କୁଟି ଛିଡ଼ା କରି ରାସ୍ତା ଉପରେ ଦେହରେ ପେଟ୍ରୋଲ ଢାଳି ଦେଇଥିବା ଅଭିଯୋଗ ହୋଇଥିଲା। ତା’ପରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।
ତା’ପରେ କିଏ ଓଦା ଅଖା ଆଣି ତାଙ୍କ ଉପରେ ପକାଇଥିଲା ତ ଆଉ କିଏ ବାଲ୍ତିରେ ପାଣି ଆଣି ଢ଼ାଳିଥିଲେ। ନିଆଁ ଲିଭିଲା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଏକ ପ୍ରାଇଭେଟ୍ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ ପରିବାର ଲୋକ। ମାତ୍ର ତାଙ୍କର ମୃତ୍ୟୁ ହୋଇଛି ।
ସେପଟେ ଶୁଣିବାକୁ ମିଳୁଛି, ଲକ୍ଷ୍ମଣ କିଛି ଦିନ ତଳେ ନିଜ ଶ୍ବଶୁର ଘର ଜମି ବିକି ୩୨ ଲକ୍ଷ ଟଙ୍କା ଧାର ରେ ଆଣିଥିଲେ । ନିଜେ ଅଟୋ ଚଳାନ୍ତି, ହେଲେ ରାତି ହେଲେ ସାଙ୍ଗ ମାନଙ୍କ ପିଛାରେ ମଦ ନିଶାରେ ଲକ୍ଷ ଲକ୍ଷ ଟଙ୍କା ଉଡାନ୍ତି। ବ୍ରାଉନସୁଗର ଭଳି ନିଶା ଖାଇ ଜମି ବିକା ଟଙ୍କା ଇଡ଼ାଇଦେଇଥିଲେ ଲକ୍ଷ୍ମଣ। ତେଣୁ ପରିବାର ମଧ୍ୟରେ କଳହ ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି।
Powered by Froala Editor