କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ଏହା କହିଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ଆଦିବାସୀଙ୍କ ଜମି ବିକ୍ରି ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପୁଣି ଥରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ ଏନେଇ ଯେଭଳି ମାଚୁ୍ୟଅର୍ଡ ନିଷ୍ପତ୍ତି ନେବା କଥା ହୋଇନି । କ୍ୟାବିନେଟ ନିଷ୍ପତ୍ତି ଯେମିତି ମାଚୁ୍ୟଅର୍ଡ ହେବା କଥା, ସେମିତି ହୋଇନି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ଆଦିବାସୀଙ୍କ ବିକାଶରେ ମୁଖ୍ୟମନ୍ତ୍ରୀ ସବୁବେଳେ ଆଗରେ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ।
ପ୍ରକାଶ ଯେ, ଗତ ନଭେମ୍ବର ୧୪ରେ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ହୋଇଥିଲା କ୍ୟାବିନେଟ ନିଷ୍ପତ୍ତି । ଯାହାକୁ ବିରୋଧ କରିଥିଲେ ବିରୋଧୀ । କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଆଦିବାସୀ ଜମି ହସ୍ତାନ୍ତର ପାଇଁ ଆଇନରେ ସଂଶୋଧ ହୋଇଥିଲା । ଯାହାଦ୍ୱାରା ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ ।
ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ଏନେଇ କ୍ୟାବିନେଟ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ତେଜିଥିଲା ରାଜନୀତି । ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିଷ୍ପତ୍ତିକୁ କଡା ବିରୋଧ କରାଯାଇଥିଲା । ତେବେ ଏହାକୁ ସ୍ଥଗିତ ନୁହେଁ, ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବାକୁ ବିରୋଧୀ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି । ଯାହାକୁ ନେଇ ଆଜି ବିଧାନସଭାରେ ଉଭୟ ବିରୋଧୀ ହୋହାଲ୍ଲା କରିଛନ୍ତି ।
Powered by Froala Editor