ପୂର୍ବ କଳହରୁ ଆକ୍ରମଣ: ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ କଲା ଦଶମ ଶ୍ରେଣୀ ଛାତ୍ର
ପୁରୀ: ଆଜି ପୁରୀ ଜିଲ୍ଲା ରେଡକ୍ରସ୍ ରୋଡ ନିକଟରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି । ଛୁରା ମାଡ଼ରେ ଗୁରୁତର ହୋଇଥିବା ଛାତ୍ରଜଣକ ମୁନା ସାହୁ ବୋଲି ଜଣାଯାଇଛି। ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟ ଆକ୍ରମଣକାରୀ ଓ ଆକ୍ରମଣର ଶିକାର ନାବାଳକ ପୁଲିସ୍ ଲାଇନ୍ ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି। ପୂର୍ବ କଳହ ଏହି ଆକ୍ରମଣର କାରଣ ବୋଲି ଜଣାଯାଇଛି।
ମୁନା ଆଜି ସକାଳ ୯ଟା ପରେ ଘରୁ ସ୍କୁଲକୁ ବାହାରିଥିଲେ। ମାତ୍ର ସେ ରେଡକ୍ରସ ରୋଡରେ ପହଞ୍ଚିବା ବେଳକୁ ସେଠାରେ ପୂର୍ବରୁ ଆକ୍ରମଣକାରୀ ଛକି ରହିଥିଲେ। ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ନାବାଳକଜଣକ ମୁନାଙ୍କୁ ଛୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ। ମୁନାଙ୍କ ବାମ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ସେ ଚିତ୍କାର କରିଥିଲେ। ଏହା ଦେଖି ଆକ୍ରମଣକାରୀ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ମୁନାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁଲିସ୍, ପରିବାର ଲୋକେ ଓ ସ୍କୁଲ କର୍ତ୍ତୃପକ୍ଷ ମେଡିକାଲରେ ପହଞ୍ଚିଛନ୍ତି। ଆକ୍ରମଣ ପଛର କାରଣ ଜାଣି ନ ଥିବା ମୁନାଙ୍କ ମା’ କହୁଥିବା ବେଳେ ଏହା ପଛରେ ପୂର୍ବ କଳହ ରହିଛି ବୋଲି ଶୁଣିବାକୁ ମିଳୁଛି।
Powered by Froala Editor