କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା
ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ଗତ କିଛିଦିନ ହେଲା ଲାଗି ରହିଥିବା ବେଳେ ରାଜ୍ୟ ବିଜେପିରେ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କ ବିରୋଧରେ ବଢ଼ୁଥିବା ଅସନ୍ତୋଷ ଦଳର ଚିନ୍ତା ବଢ଼ାଇଛି । ଏହି ପ୍ରସଙ୍ଗରେ ନିଜେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଛନ୍ତି । ଯେଦୁରପ୍ପା ତାଙ୍କ ବିବୃତିରେ କହିଛନ୍ତି ଯେତେଦିନ ପର୍ଯ୍ୟନ୍ତ ହାଇକମାଣ୍ଡଙ୍କ ଆସ୍ଥା ତାଙ୍କ ଉପରେ ରହିଛି ସେତେଦିନ ପର୍ଯ୍ୟନ୍ତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିବେ । ତେବେ ଯେଉଁଦିନ ତାଙ୍କୁ କୁହାଯିବ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯିବା ପାଇଁ ସେହିଦିନ ସେ ଇସ୍ତଫା ଦେଇ ଦଳ ପାଇଁ ଦିନରାତି କାମ କରିବେ । ଏ ନେଇ ସେ କୌଣସି ପ୍ରକାର ଦ୍ୱନ୍ଦ୍ୱରେ ନାହାନ୍ତି । ତେବେ ହାଇକମାଣ୍ଡ ତାଙ୍କୁ ଦାୟିତ୍ୱ ଦେଇଛନ୍ତି । ସୁଯୋଗକୁ ଭଲରେ ପରିଣତ କରିବା ପାଇଁ ସେ ପାରୁ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି । ଅବଶିଷ୍ଟ କଥା ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି । ୭୮ ବର୍ଷୀୟ ବିଜେପି ନେତା ୟେଦୁରପ୍ପା ସମ୍ଭବତଃ ପ୍ରଥମ ଥର ପାଇଁ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ହେଉଥିବା କଳ୍ପନାଜଳ୍ପନା ଉପରେ ବିସ୍ତୃତ ପ୍ରତିକ୍ରିୟା ରଖିଛନ୍ତି । ସେହିଭଳି ରାଜ୍ୟ ବିଜେପିରେ ତାଙ୍କୁ ବଦଳାଇବା ପାଇଁ ବିକଳ୍ପ ନେତା ଯେ ନାହାନ୍ତି ସେ କଥାରେ ୟେଦୁରପ୍ପା ସହମତ ହୋଇନାହାନ୍ତି । ନିକଟରେ କର୍ଣ୍ଣାଟକର ପର୍ଯ୍ୟଟନ ମନ୍ତ୍ରୀ ସି ପି ଯୋଗେଶ୍ୱର ଓ ହୁବୁଲି-ଧରୱାଡ ବିଧାୟକ ଅରବିନ୍ଦ ବେଲାଡ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଉଦେ୍ଧଶ୍ୟରେ କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ଯାଇଥିବା କୁହାଯାଉଛି । କିଛି ବିଧାୟକ ୟେଦୁରପ୍ପାଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରୁନାହାନ୍ତି ବୋଲି ସେମାନେ ଖୋଲାଖୋଲି ବୟାନ ଦେଇଥିଲୋା ଏପରିକି ନେତୃତ୍ୱ ପରିବର୍ତ୍ତନ ପାଇଁ କିଛି ଅସନ୍ତୁଷ୍ଟ ବିଧାୟକ ମଧ୍ୟ ବିଧାୟକ ଦଳ ବୈଠକ ଡାକିବା ପାଇଁ ଚାପ ପକାଉଥିଲେ । ଏଭଳି ବିଧାୟକଙ୍କ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି ।
Powered by Froala Editor