୧୭ ବର୍ଷ ଦଣ୍ଡ ପାଇଥିବା ଅଭିଯୁକ୍ତକୁ ଖଲାସ କରିଦେଲେ ପୁଟିନ, ପ୍ରେମିକାଙ୍କୁ ଦୁଷ୍କର୍ମ ପରେ ୧୧୧ ଥର ଛୁରୀ ଭୁସି ହତ୍ୟା କରିଥିଲା
ଋଷରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ପ୍ରେମିକାଙ୍କୁ ଦୁଷ୍କର୍ମ କରିବା ପରେ ଯୁବକ ଜଣକ ତାଙ୍କୁ ୧୧୧ ଥର ଛୁରୀରେ ଭୁସି ହତ୍ୟା କରିଥିଲେ । ତେବେ ଅପରାଧ ପରେ ଏହି ଯୁବକ ଜେଲରେ ଥିବାବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ୟକ୍ତିଙ୍କୁ କ୍ଷମା କରିଛନ୍ତି।
କୌଣସି ସଭ୍ୟ ସମାଜରେ ଏପରି ଘଟଣା ଆଦୌ ଗ୍ରହଣୀୟ ହୋଇ ନଥିବା ବେଳେ ପୁଟିନ ନେଇଥିବା ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ପୁଟିନଙ୍କ ନିର୍ଦ୍ଦେଶରେ ଜେଲରୁ ଖଲାସ ହୋଇଥିବା ଯୁବକ ଜଣକ ହେଲେ ଭ୍ଲାଦିସଲାଭ କାନୟୁସ। ସେ ତା’ର ପ୍ରେମିକା ବୀରା ଖତେଲେଭାଙ୍କୁ ହତ୍ୟା କରି ୧୭ ବର୍ଷର ଜେଲଦଣ୍ଡ ପାଇଥିଲା।
କାନୟୁସ ଓ ବୀରା ପରସ୍ପରକୁ ଦୀର୍ଘଦିନ ହେଲା ଭଲ ପାଉଥିଲେ। କିନ୍ତୁ ହଠାତ୍ କାନୟୁସଙ୍କ ସହ ବୀରା ବ୍ରେକଅପ କରି ଦେଇଥିଲେ। ଏଥିରେ ରାଗି ଯାଇ ସେ ଏହାର ପ୍ରତିଶୋଧ ନେବାକୁ ପଣ କରିଥିଲା। ଯୋଜନା ମୁତାବକ ସେ ବୀରାଙ୍କୁ ଅପହରଣ କରିବା ସହ ଗୋଟିଏ ରୁମକୁ ନେଇ ଯାଇଥିଲା। ସେଠାରେ ସେ ତାଙ୍କୁ ସାଢ଼େ ୩ ଘଣ୍ଟା କାଳ ଦୁଷ୍କର୍ମ କରିବା ସହ ଅକଥନୀୟ ନିର୍ଯାତନା ଦେଇଥିଲା।
ତାଙ୍କୁ ମାଡ଼ ମାରିବା ସହ ୧୧୧ ଥର ଛୁରୀ ଭୁଷି ଥିଲା। ଏତିକିରେ ତା’ ରାଗ ଶାନ୍ତ ହୋଇ ନଥିଲା ଯେ ସେ ଗୋଟିଏ ତାର ଦ୍ୱାରା ତାଙ୍କ ବେକକୁ ଦୀର୍ଘ ସମୟ ଧରି ଚିପି ଧରିଥିଲା।
ଏହି ବ୍ୟକ୍ତି ଋଷ ସେନାରେ ଯୋଗଦେବାକୁ ଏବଂ ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଆଉ ଏହାପରେ ପୁଟିନ ହତ୍ୟାକାରୀଙ୍କ ଦଣ୍ଡକୁ କ୍ଷମା କରିଛନ୍ତି।
Powered by Froala Editor