ସୁପ୍ରିମକୋର୍ଟଙ୍କ ନିର୍ଦେଶ: ଜଗଦୀପଙ୍କୁ ନିଃସର୍ତ୍ତ କ୍ଷମା ମାଗିବେ ସାଂସଦ ରାଘବ ଚଢ଼ା
ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଲାଗି ସୁପ୍ରିମକୋର୍ଟ ଆପ୍ର ନିଲମ୍ବିତ ସାଂସଦ ରାଘବ ଚଢାଙ୍କୁ ନିର୍ଦେଶ ଦେଇଛନ୍ତି। ରାଘବଙ୍କ କ୍ଷମା ପ୍ରାର୍ଥନାକୁ ରାଜ୍ୟସଭା ଅଧ୍ୟକ୍ଷ ଦୟାପୂର୍ବକ ଗ୍ରହଣ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସୁପ୍ରିମକୋର୍ଟ ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିିଚାରପତି ଜେବି ପର୍ଡିୱାଲ ଓ ବିଚାରପତି ମନୋଜ ମିଶ୍ରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ରାଘବଙ୍କ ପକ୍ଷରୁ କରାଯାଇଥିବା ନିଲମ୍ବନ ଆଦେଶ ବିରୋଧୀ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ରାଘବ ସାକ୍ଷାତ ପୂର୍ବକ କ୍ଷମା ମାଗିବା ଓ ମାମଲାର ପରବର୍ତ୍ତୀ ଘଟଣାକ୍ରମ ସମ୍ପର୍କରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ଦୀପାବଳି ଛୁଟି ପରେ ଅଦାଲତଙ୍କୁ ଅବଗତ କରାଇବେ।
ଗତ ମୌସୁମୀ ଅଧିବେଶନ କାଳରେ ରାଘବ ଚଢା ଅନେକ ସାଂସଦଙ୍କ ଅନୁମତି ବିନା ସେମାନଙ୍କ ନାମକୁ ବ୍ୟବହାର ଗୃହରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବିବାଦୀୟ ଦିଲ୍ଲୀ ସେବା ବିଧେୟକକୁ ସିଲେକ୍ଟ କମିଟି ପଠାଇବା ଲାଗି ରାଘବ ଚଢାଙ୍କ ପକ୍ଷରୁ ଏକ ମିଳିତ ପ୍ରସ୍ତାବ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦିଆଯାଇଥିଲା। ରାଘବ ଚଢା ଯେଉଁ ପ୍ରସ୍ତାବ ଦେଇଥିଲେ ସେଥିରେ ବିଜେପି ଓ ଅନ୍ୟ ସାଂସଦଙ୍କ ନାମକୁ ଯୋଡିଥିଲେ। ମାତ୍ର ଯେଉଁ ସାଂସଦଙ୍କ ନାମକୁ ରାଘବ ପ୍ରସ୍ତାବରେ ଯୋଡିଥିଲେ ସେମାନଙ୍କ ଠାରୁ ଅନୁମତି ନେଇ ନଥିଲେ। ଏହା ଜାଣିବା ପରେ ବିଜେପି ସାଂସଦଙ୍କ ପକ୍ଷରୁ ଅଧ୍ୟକ୍ଷଙ୍କ ନିକଟରେ ଅଭିେଯାଗ କରାଯାଇ କାର୍ୟ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଅଭିଯୋଗ ଆଧାରରେ ଅଧ୍ୟକ୍ଷ ତାଙ୍କୁ ଗୃହରୁ ଅନିର୍ଦିଷ୍ଟ କାଳ ପାଇଁ ନିଲମ୍ବନ କରିଥିଲେ। ଏହା ସହିତ ଅଭିଯୋଗ ତଦନ୍ତ ଲାଗି ସ୍ବାଧିକାର କମିଟିକୁ ପଠାଇ ଦେଇଥିଲେ। ଯାହା ଏବେ ବିଚାରାଧୀନ ରହିଛି।
Powered by Froala Editor