ସମଲିଙ୍ଗୀ ବିବାହ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ
ସମଲିଙ୍ଗୀ ବିବାହ ମାମଲାର ରାୟ ବିରୋଧରେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ବା ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଛି। ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରି ଦେଇଥିବା ରାୟକୁ ପୁନଃ ସମୀକ୍ଷା କରିବାକୁ ଆବେଦନ ଦାଖଲ କରାଯାଇଛି। ଉଦିତ ସୁଦଙ୍କ ଦ୍ୱାରା ଦାଖଲ ହୋଇଥିବା ରିଭ୍ୟୁ ପିଟିସନରେ କୁହାଯାଇଛି ଯେ ଖଣ୍ଡପୀଠଙ୍କ ସଂଖ୍ୟାଗରିଷ୍ଠ ରାୟ ସ୍ପଷ୍ଟ ଭାବରେ ଭୁଲ କାରଣ ଏହା ବିରୋଧାଭାସମୂଳକ । ଗୋଟିଏ ପଟେ ସୁପ୍ରିମକୋର୍ଟ ମାନିଛନ୍ତି ଯେ ସମଲିଙ୍ଗୀ ସଂପ୍ରଦାୟ ଭେଦଭାବର ଶିକାର ହେଉଛନ୍ତି, ଅନ୍ୟପଟେ ସୁପ୍ରିମକୋର୍ଟ ଏହି ଭେଦଭାବର କାରଣକୁ ହଟାଇନଥିଲେ ।
ସୁପ୍ରିମକୋର୍ଟ ନିଜେ ଦେଇଥିବା ରାୟର ବିରୋଧାଚରଣ କରୁଛି ଓ ସଂପୂର୍ଣ୍ଣ ଭାବେ ଅଯୋଗ୍ୟତାପୂର୍ଣ୍ଣ ବୋଲି ପିଟିସନରେ କୁହାଯାଇଛି। ସୁପ୍ରିମକୋର୍ଟ ତାଙ୍କ ରାୟରେ ସମଲିଙ୍ଗୀ ସଂପ୍ରଦାୟ ଭୋଗୁଥିବା ପକ୍ଷପାତିତାକୁ ସ୍ୱୀକାର କରିଛନ୍ତି। କିନ୍ତୁ ପକ୍ଷପାତିତାର କାରଣକୁ ବିଲୋପ କରି ନାହାନ୍ତି। ସମଲିଙ୍ଗୀ ଦମ୍ପତିଙ୍କୁ ସମାନ ଅଧିକାର ପ୍ରଦାନ କରିବାକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ମଣିଷ ଠାରୁ କମ ବୋଲି ବିବେଚନା କରିଛନ୍ତି।
ଅକ୍ଟୋବର ୧୭ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ। ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ। ବିବାହକୁ ନେଇ ଆଇନରେ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାର ପରିସରଭୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ବୈଧତା ଦେବା ପାଇଁ ୨୧ଟି ଆବେଦନର ଶୁଣାଣି କରି ୪ଟି ପୃଥକ ରାୟ ଶୁଣାଇଥିଲେ ।
Powered by Froala Editor