ମରାଠା ସଂରକ୍ଷଣ ଆନ୍ଦୋଳନ ଇସ୍ତଫା ଦେଲେ ଦୁଇ ସାଂସଦ
ମରାଠା କୋଟା ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଜୋରଦାର ହୋଇଛି। ଏନ୍ସିପିର ୨ ଜଣ ବିଧାୟକ ଏବଂ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଥିଲେ। ଏହାରି ଭିତରେ ମରାଠା ସଂରକ୍ଷଣକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଝଡ଼ ସୃଷ୍ଟି ହୋଇଛି। ଏହାକୁ ସମର୍ଥନ କରି ଦଳରୁ ଇସ୍ତଫା ଦେଇଛନ୍ତି ଦୁଇ ସାଂସଦ।
ହିଙ୍ଗୋଲିରୁ ସାଂସଦ ଥିବା ହେମନ୍ତ ପାଟିଲ ଶିବସେନା ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସେ ତାଙ୍କ ଇସ୍ତଫା ଦିଲ୍ଲୀର ଲୋକସଭା ସଚିବାଳୟକୁ ପଠାଇଛନ୍ତି। ସେହିପରି ନାଶିକ ସାଂସଦ ହେମନ୍ତ ଗୋଡସେ ମଧ୍ୟ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନିକଟକୁ ପଠାଇଛନ୍ତି।
ପାଟିଲ କହିଛନ୍ତି ଯେ ଲୋକସଭା ବାଚସ୍ପତି ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ନଥିଲେ ତେଣୁ ସେ ତାଙ୍କ ଇସ୍ତଫା ପତ୍ର କାର୍ଯ୍ୟାଳୟ ସଚିବଙ୍କ ନିକଟରେ ଦାଖଲ କରିଥିଲେ। ଉଭୟ ସାଂସଦ ଏକନାଥ ସିନ୍ଦେଙ୍କ ନିକଟତର ବୋଲି ବିବେଚନା କରାଯାଏ। ବାସ୍ତବରେ ଯବତମାଲରେ ଥିବା ମରାଠା ସମ୍ପ୍ରଦାୟର ଆନ୍ଦୋଳନକାରୀ ସଦସ୍ୟମାନେ ପାଟିଲଙ୍କୁ ଲୋକସଭା ସଦସ୍ୟତା ପଦରୁ ଇସ୍ତଫା ଦେବାକୁ କହିଥିଲେ।
ହେମନ୍ତ ପାଟିଲ କହିଛନ୍ତି ଯେ ପଦ ଆସିବ ଏବଂ ଯିବ, କିନ୍ତୁ ସମ୍ପ୍ରଦାୟ ସବୁବେଳେ ରହିବ। ସେ କହିଛନ୍ତି, “ଆର୍ଥିକ ଓ ଶିକ୍ଷାଗତ କ୍ଷେତ୍ରରେ ମରାଠା ସମ୍ପ୍ରଦାୟର ଅବସ୍ଥା ଅଧିକ ଖରାପ ହୋଇଯାଇଛି। ସେଥିପାଇଁ ମରାଠାଙ୍କୁ ସଂରକ୍ଷଣ ମିଳିବା ଉଚିତ୍। ”
Powered by Froala Editor