ବଢ଼ିଲା ଅଡ଼ୁଆ: କ୍ରେଜିୱାଲଙ୍କୁ ଇଡି ସମନ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତାଙ୍କୁ ଆଜି ସମନ କରାଯାଇଛି। ଆସନ୍ତା ନଭେମ୍ବର ୨ ତାରିଖରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେବା ପରେ କ୍ରେଜିୱାଲଙ୍କୁ ଇଡି ସମନ ଚର୍ଚ୍ଚାର ବିଷୟ ପାଲଟିଛି।
ଇଡି ସମନ ଉପରେ କେଜ୍ରିୱାଲ ପ୍ରତିକ୍ରିୟା ଦେଇନଥିବା ବେଳେ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ କେନ୍ଦ୍ରର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଯେକୌଣସି ମତେ ଆପ୍କୁ ଧ୍ବଂସ କରିବା ହେଉଛି କେନ୍ଦ୍ରର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ କ୍ରେଜିୱାଲଙ୍କୁ ଜେଲ୍ରେ ଭର୍ତ୍ତି କରିବା ଏବଂ ଆପ୍କୁ ଧ୍ବଂସ କରିବା ପାଇଁ ସେମାନେ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବାକୁ ମନା କରିବା ପରେ ବିଜେପି ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଇସ୍ତଫା ଦାବି କରାଯାଇଛି।
Powered by Froala Editor