ଜମ୍ମୁକଶ୍ମୀରର ନୂଆ ଡିଜି ହେବେ ଓଡ଼ିଆ ଆଇପିଏସ୍

ଓଡ଼ିଶାରେ ଜନ୍ମିତ ତଥା ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ରଶ୍ମିରଂଜନ ସ୍ୱାଇଁ ଜମ୍ମୁକଶ୍ମୀରର ନୂତନ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ହେବେ । ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଏକ ଆଦେଶରେ କୁହାଯାଇଛି, ଯେ ପୂର୍ବରୁ ସିଆଇଡି ମହାନିର୍ଦ୍ଦେଶକ ଥିବା ରଶ୍ମିରଂଜନ ସ୍ୱାଇଁ ନଭେମ୍ବର ୧, ୨୦୨୩ଠାରୁ ଜମ୍ମୁକଶ୍ମୀର ପୁଲିସର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମରୀ ପୁଲିସ୍ ମହାନିର୍ଦ୍ଦେଶ ଭାବେ କାର୍ଯ୍ୟ କରୁଥିବା ଦିଲବାଗ ସିଂହ ଅବସର ନେବେ। ତାଙ୍କ ସ୍ଥାନରେ ଶ୍ରୀ ସ୍ୱାଇଁ କାମ ଆରମ୍ଭ କରିବେ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ ୧୯୯୧ ବ୍ୟାଚ୍ର ଆଇପିଏସ୍ ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ-କଶ୍ମୀର ପୁଲିସ୍ର ମହାନିର୍ଦ୍ଦେଶ ପଦର ଇନଚାର୍ଜ ଭାବେ କାମ କରିବେ। ବର୍ତ୍ତମାନ ସେ ଜମ୍ମୁ-କଶ୍ମୀର ସିଆଇଡିର ସ୍ୱତନ୍ତ୍ର ଡିଜି ଭାବେ କାମ କରୁଛନ୍ତି। ଅତିରିକ୍ତ ଭାବେ ସେ ପୁଲିସ୍ ମୁଖ୍ୟ ଦାୟିତ୍ୱରେ ମଧ୍ୟ ରହିବେ। ତାଙ୍କ କାର୍ଯ୍ୟକାଳ ୧ ତାରିଖରୁ ଆରମ୍ଭ ହେବ। ସେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଦୁଇଟି ଯାକ ପଦରେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଓଡ଼ିଶାର ରାଉରକେଲାରେ ଜନ୍ମିତ ରଶ୍ମିରଂଜନ ନ୍ୟାସନାଲ ପୁଲିସ୍ ଏକାଡେମୀ (ହାଇଦ୍ରାବାଦ) ରେ ତାଲିମ ସମାପ୍ତ କରିବା ପରେ ତାଙ୍କୁ ସର୍ବୋତ୍ତମ କ୍ୟାଡେଟ୍ ପୁଲିସ୍ ଅଧିକାରୀ ସମ୍ମାନ ମିଳିଥିଲା । ସେ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଏସଏସପି ଶ୍ରୀନଗର ଏବଂ ୨୦୦୩ ରୁ ୨୦୦୪ ପର୍ଯ୍ୟନ୍ତ ଏସଏସପି ଜମ୍ମୁ ଭାବରେ କାର୍ଯ୍ୟ କରିଥିଲେ । ସେ ଲେହ, ପୁଞ୍ଚ ଏବଂ ରାମବନରେ ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରିଥିଲେ । ଜୁନ୍ ୨୦୨୦ରେ ତାଙ୍କୁ ସିଆଇଇଡି ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ସ୍ପେଶାଲ୍ ଡାଇରେକ୍ଟର ଜେନେରାଲ୍ ସିଆଇଡି ଭାବରେ ପଦୋନ୍ନତି ଦିଆଯାଇଥିଲା । ବିଶେଷ କରି ଜମ୍ମୁକଶ୍ମୀରରେ ରଶ୍ମିରଞ୍ଜନଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି ।
କେନ୍ଦ୍ରୀୟ ଡେପୁଟେସନରେ ୧୫ ବର୍ଷ କାଳ କାମ କରିଥିବା ଶ୍ରୀ ସ୍ୱାଇଁ ବିଦେଶରେ ମଧ୍ୟ ପୋଷ୍ଟିଂ ପାଇଥିଲେ। ବିଦେଶରେ ସାଧାରଣତଃ ସବୁଠାରୁ ଦକ୍ଷ ଅଫିସରଙ୍କୁ ହିଁ ଭାରତ ସରକାର ନିଯୁକ୍ତି ଦିଅନ୍ତି।
Powered by Froala Editor