ସୁଜାତାଙ୍କ ସାହାସକୁ ପ୍ରଶଂସା : ଅସୁସ୍ଥ ବାପାଙ୍କୁ ୩୫ କି.ମି ଟ୍ରଲିରେ ଆଣିଲେ

ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରେ ବାପାଙ୍କ ଚିକିତ୍ସା ପାଇଁ ଜଣେ ଝିଅ ଯେଉଁ କାମ କରିଛନ୍ତି, ତାଙ୍କୁ ଚାରିଆଡେ ପ୍ରଶଂସା କରିଛନ୍ତି। ଗୁରୁତର ବାପାଙ୍କ ଚିକିତ୍ସା ପାଇଁ ଝିଅ ୩୫ କିଲୋମିଟର ପର୍ଯ୍ୟନ୍ତ ଟ୍ରଲି ଟାଣିଛନ୍ତି। ନଦୀଗାଁରୁ ଧାମନଗର ଓ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଛନ୍ତି।
ଧୁଷୁରୀ ଥାନା ନଦୀଗାଁର ଶମ୍ଭୁନାଥ ସେଠୀ ପେଶାରେ ଜଣେ ଟ୍ରଲି ଚାଳକ। ଟ୍ରଲି ଚାଳନା କରି ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର। ହେଲେ ଗତ ୨୨ ତାରିଖରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଜମିବାଡ଼ି ବାବଦକୁ ନେଇ ତାଙ୍କୁ କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶମ୍ଭୁନାଥ ସେଠୀଙ୍କ ହାତ ଭାଙ୍ଗି ଯାଇଥିଲା।
ବାପାଙ୍କ ଯନ୍ତ୍ରଣାକୁ ଦେଖି ସହ୍ୟ କରିପାରୁନଥିଲେ ଦଶମ ଶ୍ରେଣୀରେ ପଢୁଥିବା ଝିଅ ସୁଜାତା ସେଠୀ। ସାହି ପଡ଼ିଶାଙ୍କୁ କେତେ ନେହୁରା ହୋଇଥିଲେ। ହେଲେ କେହି ଶୁଣିଲେନାହିଁ। ଆମ୍ୱୁଲାନ୍ସ ପାଇଁ ୧୦୨ ଓ ୧୦୮କୁ ଫୋନ୍ କରିବାକୁ ସାହି ପଡ଼ିଶାଙ୍କୁ କେତେ ଗୁହାରୀ କରିଥିଲେ ସୁଜାତା। ସବୁଆଡୁ ନିରାଶ ହେବା ପରେ ବାପାଙ୍କ ଟ୍ରଲିକୁ ଶେଷ ଭରସା ଭାବିଲେ ସୁଜାତା। ଶେଷରେ ବାଧ୍ୟ ହୋଇ ଅସୁସ୍ଥ ବାପାଙ୍କୁ ଏକ ଟ୍ରଲି ଯୋଗେ ବୁହାଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣି ଚିକିତ୍ସା କରିଥିଲେ।
ସୁଜାତା ଘରକୁ ଫେରୁଥିବା ବେଳେ ତାଙ୍କୁ ବାଟରେ ଭଦ୍ରକ ସହରର ମହତାବ ଛକ ନିକଟରେ କିଛି ଲୋକ ଦେଖି ଅଟକାଇ ପଚରାଉଚରା କରିଥିଲେ। ଏଇ ଘଟଣା ଜଣା ପଡ଼ିବା ପରେ ତାଙ୍କ ନିକଟରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପହଞ୍ଚିଥିଲେ। ବିଧାୟକ ଶ୍ରୀ ମଲ୍ଲିକ ସିଡିଏମ୍ଓଙ୍କ ସହ ଆଲୋଚନା କରି ତାଙ୍କର ଚିକିତ୍ସା କଥା ବୁଝାସୁଝା କରିଥିଲେ। ତାଙ୍କୁ ଏକ ଗାଡ଼ି ଯୋଗେ ଘରକୁ ପଠାଇବା ସହ ସହାୟତା ଯୋଗାଇ ଦେଇଥିଲେ।
Powered by Froala Editor