ପାତାଲକୋଟ ଏକ୍ସପ୍ରେସରେ ନିଆଁ, ଝରକା ବାଟେ ଡେଇଁ ଜୀବନ ବଞ୍ଚାଇଲେ ଯାତ୍ରୀ
ଆଗ୍ରାସ୍ଥିତ ଭାଣ୍ଡଇ ରେଳ ଷ୍ଟେସନରେ ପାତାଲକୋଟ ଏକ୍ସପ୍ରେସର ୪ ବଗିରେ ଲାଗିଛି ଭୟଙ୍କର ନିଆଁ। ପଞ୍ଜାବର ଫିରୋଜପୁରରୁ ମଧ୍ୟପ୍ରଦେଶର ଶିବାନୀ ମଧ୍ୟରେ ଯାତାୟାତ କରୁଥିବା ଏହି ଟ୍ରେନର ୪ଟି ଯାକ ବଗି ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଯାଇଛି। କୁହାଯାଉଛି ଯେ ନିଆଁ ଲାଗିବା ମାତ୍ରେ ଚିତ୍କାର କରି କିଛି ଯାତ୍ରୀ ଝରକା ବାଟେ ଡେଇଁ ଜୀବନ ରକ୍ଷା କରିଥିଲେ।
ସୂଚନା ଅନୁସାରେ, ଯାତ୍ରୀବାହୀ ଟ୍ରେନଟି ଆଗ୍ରାରୁ ଝାନସୀ ଯାଉଥିଲା। ହଠାତ୍ ଗୋଟିଏ ବଗିରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। ଯାତ୍ରୀମାନେ ଆତଙ୍କିତ ହେବା ସହ ଟ୍ରେନକୁ ଅଟକାଇ ଦେଇଥିଲେ। ଚାହୁଁଚାହୁଁ ଟ୍ରେନର ୪ଟି ବଗିକୁ ନିଆଁ ବ୍ୟାପି ଯାଇଥିଲା। ଲୋକମାନେ ତୁରନ୍ତ ଟ୍ରେନରୁ ଓହ୍ଲାଇ ଯାଇଥିଲେ ହେଁ ସେମାନଙ୍କ ଜିନିଷପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।
ଏହି ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ କିଛି ଲୋକ ଆହତ ହୋଇଥିବା କୁହାଯାଉଛି। ଟ୍ରେନ ବଗିରେ ନିଆଁ ଲାଗିବା ଫଳରେ ସେହି ବାଟ ଦେଇ ଯିବାକୁ ଥିବା ଅନ୍ୟ ଟ୍ରେନର ସମୟ ବଦଳାଇ ଦିଆଯାଇଛି।
Powered by Froala Editor