ଚୀନ-ଭାରତ ସୀମା ବିବାଦ : ଋଷ ରାଷ୍ଟ୍ରପତି କହିଲେ ଏ କଥା...
ଚୀନ-ଭାରତ ସୀମା ବିବାଦ ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଏନେଇ ଶନିବାର ଦିନ ପୁତିନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦାୟିତ୍ୱବାନ ନେତା ତେଣୁ ଉଭୟ ସୀମା ବିବାଦର ସମାଧାନ କରିବାରେ ସକ୍ଷମ। ତେଣୁ ରାଷ୍ଟ୍ରପତି ପୁତିନ ଭାରତ ଏବଂ ଚୀନ୍ ମଧ୍ୟରେ କୌଣସି ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ଭାରତ-ଚୀନ୍ ଦ୍ୱିପାକ୍ଷିକ ପ୍ରସଙ୍ଗରେ କୌଣସି ତୃତୀୟ ଦେଶର ହସ୍ତକ୍ଷେପ ଉଚିତ୍ ନୁହେଁ ।
କ୍ୟୁଡା ନେଇ କ’ଣ କହିଲେ ପୁତିନ :
ଭାରତ, ଆମେରିକା, ଜାପାନ ଅଷ୍ଟ୍ରେଲିଆ ଗଠନ କରିଥିବା କ୍ୟୁଡାକୁ ରୁଷ ଖୋଲାଖୋଲି ଭାବେ ବିରୋଧ କରୁଛି। ହେଲେ ପୁତିନ ଏହା ଉପରେ କୌଣସି ମତ ଦେବାକୁ ଉଚିତ ମଣିନାହାନ୍ତି। ସେ କହିଛନ୍ତି, କେଉଁ ଦେଶ କାହା ସହ ମିଶି କ’ଣ ସବୁ ପଦକ୍ଷେପ ନେବ, ତା’ର ନିଷ୍ପତ୍ତି କିମ୍ବା ତା’ ଉପରେ ପ୍ରତିକ୍ରିୟା ଦେବା ରୁଷ ପାଇଁ ଠିକ ନୁହେଁ। କିନ୍ତୁ କାହା ବିରୋଧରେ ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ରଖି କୌଣସି ଦେଶ ଆଉ ଗୋଟିଏ ରାଷ୍ଟ୍ର ସହ ବନ୍ଧୁତା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ରାଷ୍ଟ୍ରପତି ପୁତିନଙ୍କୁ କ୍ୟୁଡା ଓ ଭାରତ ଏଥିରେ ଯୋଗଦେବା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ସେ ଏପରି କହିଛନ୍ତି। ସେ କହିଛନ୍ତି, ହଁ ମୋ ପାଖରେ ଖବର ଅଛି ଯେ, ଭାରତ ଓ ଚାଇନା ମଧ୍ୟରେ କିଛି ତିକ୍ତତା ସୃଷ୍ଟି ହୋଇଛି। ଏଇଟା ବି ସତ ଯେ ସବୁବେଳେ ଦୁଇ ପଡ଼ୋଶୀ ଦେଶଙ୍କ ମଧ୍ୟରେ କିଛି ନା କିଛି ସମସ୍ୟା ସୃଷ୍ଟି ହୋଇଥାଏ।
କିନ୍ତୁ ମୁଁ ଏକଥା ମଧ୍ୟ ଜାଣିଛି ଯେ, ଭାରତର ପ୍ରଧାନମନ୍ତ୍ରୀ ଓ ଚାଇନାର ରାଷ୍ଟ୍ରପତି ହେଉଛନ୍ତି ଦାୟିତ୍ୱବାନ ନେତା। ସେମାନେ ପରସ୍ପରକୁ ବହୁତ ସମ୍ମାନ କରନ୍ତି । ମୋର ଆଶା ଯେତେ ସବୁ ସମସ୍ୟା ଆସିଲେ ମଧ୍ୟ ଏହାର ସମାଧାନ କରିବାକୁ ସେମାନେ ନିଶ୍ଚିତ ଆଗେଇ ଆସିବେ। ହେଲେ ଏହି ସମସ୍ୟାରେ ଅନ୍ୟ କୌଣସି ଅତିରିକ୍ତ ଆଞ୍ଚଳିକ ଶକ୍ତି ହସ୍ତକ୍ଷେପ କରିବା ଠିକ ନୁହେଁ। ଆମ ସମ୍ପର୍କ ଭାରତ ଓ ଚାଇନା ସହ ଭଲ ରହିଛି। ଏହି ସମ୍ପର୍କ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।
Powered by Froala Editor