ମଞ୍ଚରେ ମୃତ୍ୟୁ : ଡାଏଲଗ୍ କହିବା ବେଳେ ‘ପର୍ଶୁରାମ’ଙ୍କ ଜୀବନ ଗଲା

ଝାଡ଼ଖଣ୍ଡର ରାଞ୍ଚିରେ ମଞ୍ଚ ଉପରେ ରାମଳୀଲା ନାଟକ ଚାଲିଥିବା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ମଞ୍ଚ ଉପରେ ଭଗବାନ ପର୍ଶୁରାମଙ୍କ ଅଭିନୟ କରୁଥିବା କଳାକାର ଜଣକ ଡାଏଲଗ କହିବା ପରେ ହଠାତ ତାଙ୍କ ମୃତ୍ୟୁ ହୋଇଛି। ଏହି ପୂରା ଘଟଣାର ଲାଇଭ୍ ଭିଡିଓ ଭାଇରାଲ ହୋଇଛି।
ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିନୋଦ ପ୍ରଜାପତି, ତାଙ୍କ ବୟସ ୪୦ ବର୍ଷ। ସୂଚନା ମୁତାବକ, ରାଞ୍ଚି ସ୍ଥିତ ଗରଓ୍ୱାର ଦଣ୍ଡେ ଗାଁରେ ରାମଲୀଲା ନାଟକ ମଞ୍ଚସ୍ଥ ହୋଇଥିଲା। ରାମଳୀଲା ନାଟକରେ ରାମାୟଣର ସୀତା ସ୍ୱୟଂବର ପ୍ରସଙ୍ଗ ଚାଲିଥିଲା। ଏହି କ୍ରମରେ ଧନୁ ଭାଙ୍ଗିବା ପରେ ଭଗବାନ ପର୍ଶୁରାମ ସେଠାରେ ପହଞ୍ଚିଥିଲେ। ଭଗବାନ ପର୍ଶୁରାମଙ୍କ ଭୂମିକାରେ ଅଭିନୟ କରୁଥିବା ବିନୋଦ ପ୍ରଜାପତି ଉଚ୍ଚ ସ୍ୱରରେ ପାଟି କରି, କିଏ ଧନୁ ଭାଙ୍ଗିଲା? କିଏ ଧନୁ ଭାଙ୍ଗିଲା, ମୋତେ ଶୀଘ୍ର କୁହ! କହି ହଠାତ୍ ମଞ୍ଚ ଉପରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।
ସ୍ଥାନୀୟଲୋକେ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ବିନୋଦଙ୍କୁ ମୃତ ଘୋଷଣା କରିଥିଲେ। ବିନୋଦ ପ୍ରଜାପତିଙ୍କର ମୃତ୍ୟୁ ହୃଦଘାତରେ ହୋଇଛି ବୋଲି ଡାକ୍ତର କହିଥିଲେ।
Powered by Froala Editor