୧୮ରୁ ୪୪ ବର୍ଷ ପାଇଁ ଟିକା ସଂଗ୍ରହ କରିବ କେନ୍ଦ୍ର !
ନୂଆଦିଲ୍ଲୀ : ଦେଶର ଟିକା ନୀତିକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିବା ସହିତ ସୁପ୍ରିମ କୋର୍ଟ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇ ସାରିଲେଣି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଟିକା ନୀତିରେ ପରିବର୍ତ୍ତନ ଆଣିପାରନ୍ତି । ଟିକା ଯୋଗାଣ ସ୍ଥିତିରେ ସୁଧାର ଆସିଲେ ଜୁଲାଇ କିମ୍ବା ଅଗଷ୍ଟରେ ସରକାର ନୀତି ବଦଳାଇ ପାରନ୍ତି । ସରକାର ପୁଣି ପୂର୍ବ ମଡେଲକୁ ଫେରିଯିବାକୁ ବିଚାର କରିପାରନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ପୂର୍ବରୁ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ସରକାର ଟିକା ସଂଗ୍ରହ କରୁଥିଲେ । ତେଣୁ ବର୍ତ୍ତମାନ ଉଭୟ ୪୫ ବର୍ଷରୁ ଅଧିକ ଏବଂ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ପାଇଁ ଟିକା ସଂଗ୍ରହ କେନ୍ଦ୍ର କରିପାରନ୍ତି । ତେବେ ଏହି ନିଷ୍ପତ୍ତି ରାଜନୈତିକ ସ୍ତରରେ ନିଆଯିବ । ଏ ନେଇ କୌଣସି ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା ନିଆଯାଇ ନଥିଲେ ମଧ୍ୟ ଅମଲା ସ୍ତରରେ ଆଲୋଚନା ଆରମ୍ଭ ହୋଇଯାଇଛି । ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ପାଇଁ ରାଜ୍ୟଗୁଡ଼ିକୁ ଟିକା ଆବଣ୍ଟନ ନୀତି କେନ୍ଦ୍ର କରୁଛି । କିନ୍ତୁ ରାଜ୍ୟ ସରକାର ଏ ବାବଦ ଅର୍ଥ ପ୍ରଦାନ କରୁଛନ୍ତି । ଲୋକଙ୍କ ଠାରୁ ଅର୍ଥ ନେଇ ଟିକା ପ୍ରଦାନ କରୁଥିବା ଘରୋଇ ଡାକ୍ତରଖାନାଗୁଡ଼ିକ ପାଇଁ ଏକ ନିର୍ଦ୍ଧିଷ୍ଟ କୋଟା ଅବ୍ୟାହତ ରହିବ ବୋଲି ଆଶା କରାଯାଉଛି ।
Powered by Froala Editor