ରାଘବ ଚଢ଼ାଙ୍କ ନିଲମ୍ବନ ମାମଲାରେ ରାଜ୍ୟସଭା ସଚିବାଳୟକୁ ନୋଟିସ୍ ଜାରି

ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ଆପ୍ ସାଂସଦ ରାଘବ ଚଡ୍ଡାଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ରାଘବ ଚଢ଼ାଙ୍କ ନିଲମ୍ବନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜ୍ୟସଭା ସଚିବାଳୟକୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ। ଗତ ଅଗଷ୍ଟ ମାସରେ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା । ରାଘବ ତାଙ୍କ ନିଲମ୍ବନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଏବେ ସର୍ବୋଚ୍ଚ ଅଦାଲତ ଏହାକୁ ଗ୍ରହଣ କରି ରାଜ୍ୟସଭା ସଚିବାଳୟକୁ ଜବାବ ମାଗିଛନ୍ତି। ଏଥିସହ ଆଟର୍ଣ୍ଣି ଜେନେରାଲଙ୍କୁ ପୂରା ମାମଲାରେ ସହଯୋଗ କରିବାକୁ କହିଛନ୍ତି। ରାଘବ ଯୁକ୍ତି ବାଢ଼ିଛନ୍ତି ଯେ ତାଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନର କୌଣସି ମାମଲା ନାହିଁ। ମାମଲା ରୁଜୁ ହୋଇଥିଲେ ମଧ୍ୟ ନିୟମ ୨୫୬ ଅନୁଯାୟୀ ତାଙ୍କୁ କେବଳ ସେହି ଅଧିବେଶନ ପାଇଁ ନିଲମ୍ବିତ କରାଯାଇପାରିବ। ଏହି ମାମଲା ବର୍ତ୍ତମାନ ସଂସଦର ବିଶେଷାଧିକାର କମିଟି ନିକଟରେ ରହିଛି।
ସେ ତାଙ୍କ ପିଟିସନରେ ରାଜ୍ୟସଭା ସଚିବାଳୟ, ଗୃହବାଚସ୍ପତି ଓ ଅଧିକାର କମିଟିକୁ ପକ୍ଷଭୁକ୍ତ କରିଥିଲେ। ଆମ୍ ଆଦମୀ ପାର୍ଟି ସାଂସଦଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଓ ଆଇନଜୀବୀ ଶାଦନ ଫରାସତ ସୁପ୍ରିମକୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ।
Powered by Froala Editor