ବିଜେଡି ସାଂସଦ-ବିଧାୟକ ମୁହାଁମୁହିଁ

ଭୁବନେଶ୍ୱର: କରୋନା ସମୟରେ ବିଜେଡିର ୨ ନେତା ମୁହାଁମୁହିଁ ହୋଇଛନ୍ତି । ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ପାଲଲହଡ଼ା ବିଧାୟକ ମୁକେଶ ପାଲ ମୁହାଁମୁହିଁ ହୋଇଛନ୍ତି । ତେବେ ମୁହାଁମୁହିଁ ହେବା ପଛର କାରଣ ସମ୍ପର୍କରେ ଜାଣିବା ପରେ ଯେକେହି ବି ଆଶ୍ଚର୍ଯ୍ୟ ହେବ । କୋଭିଡ କେୟାର ସେଣ୍ଟର ଉଦଘାଟନକୁ ନେଇ ଉଭୟ ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ବି ହୋଇଥିବା ଜଣାଯାଇଛି । ସାଂସଦ ଶ୍ରୀ ସାହୁ ପହଞ୍ଚିବା ପୂର୍ବରୁ ବିଧାୟକ ଶ୍ରୀ ପାଲ କୋଭିଡ କେୟାର ସେଣ୍ଟର ଉଦଘାଟନ କରିଦେବାକୁ ନେଇ ଏହି ଝାମେଲା ହୋଇଛି । ବିଧାୟକ ଶ୍ରୀ ପାଲ କୋଭିଡ କେୟାର ସେଣ୍ଟର ଉଦଘାଟନ କରିବାର କିଛି ସମୟ ପରେ ସାଂସଦ ଶ୍ରୀ ସାହୁ ପହଞ୍ଚି ଫିତା କଟାସରିଥିବା ଦେଖି ଚିହିଁକି ଉଠିଥିଲେ । ଏମିତିକି ସର୍ବସମ୍ମୁଖରେ ସାଂସଦ ଶ୍ରୀ ସାହୁ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ । ଏହାକୁ ନେଇ ବିଧାୟକ ଓ ଉପସ୍ଥିତ ତାଙ୍କ ସମର୍ଥକ ପ୍ରତିବାଦ କରିଥିଲେ । ବିଧାୟକଙ୍କ ସମର୍ଥକମାନେ ପାଟିତୁଣ୍ଡ କରିବା ସହ ସାଂସଦଙ୍କୁ ବିରୋଧ କରିଥିଲେ ।
ତେବେ ସେ କିଛି ଖରାପ କଥା କହିନାହାନ୍ତି ବୋଲି ସାଂସଦ ଶ୍ରୀ ସାହୁ କହିଛନ୍ତି । ସାଂସଦ ପହଞ୍ଚିବା ପୂର୍ବରୁ ବିଧାୟକ ଫିତା କାଟିଥିବା ସମ୍ପର୍କରେ ତାଙ୍କୁ ପଚାରିଥିଲି । ବିରୋଧୀଙ୍କ ତୁମ୍ବିତୋଫାନ ବେଳେ ଏଭଳି ରାଜନୀତି କାହିଁକି ବୋଲି କହିଥିଲି ବୋଲି ଶ୍ରୀ ସାହୁ କହିଛନ୍ତି ।
Powered by Froala Editor