ନିଶାଦିଆ ଲୁଟେରା ଗ୍ୟାଙ୍ଗ ଲିଡର ମୁସ୍କାନ ଗିରଫ
ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ୍ରେ ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରୁଥିଲେ ମୁସ୍କାନ ଓରଫ ସରିଫା ଖାତୁନ୍। ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ମୁସ୍କାନ ଓ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି। ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡ଼ର ସାନ ଲଣ୍ଡାକୁ ନେଇ ମୁସ୍କାନ ଚଳାଇଥିଲା ଏହି ଗ୍ୟାଙ୍ଗ । ଷ୍ଟେସନ ଓ ବସଷ୍ଟାଣ୍ଡରେ ସକ୍ରିୟ ଥିଲେ ଏହି ଲୁଟେରା ଗ୍ୟାଙ୍ଗ । ସମସ୍ତଙ୍କ ନାଁରେ ଏକାଧିକ ଥାନାରେ ୧୦ରୁ ଅଧିକ ମାମଲା ରହିଛି ।
ଏମାନଙ୍କ ଠାରୁ ବିଭିନ୍ନ ନିଶା ବଟିକା ଜବତ କରିଛି ପୋଲିସ । ଏମାନଙ୍କ ଟାର୍ଗେଟ୍ରେ ଥିଲେ ଛୁଟିରେ ଟ୍ରେନରେ ଆସୁଥିବା ଯବାନ । ତାଙ୍କୁ ଚା ପିଇବାକୁ କହି ନିଶା ଦେଇ ଲୁଟିବା ପରେ ଷ୍ଟେସନର କୌଣସି ଗଳିରେ ଫୋପାଡ଼ି ଚାଲିଯାଉଥିଲେ ।
ମୁସ୍କାନ କେମିତି ବିଛାଉଥିଲା ଜାଲ?
ରାଜଧାନୀର ରାତି ପାହି ପାହି ଆସୁଥିଲା। ତାହାରି ଭିତରେ ସଜେଇ ହୋଇ ନିଜ ଗ୍ୟାଙ୍ଗକୁ ଧରି ଭୁବନେଶ୍ୱର ଷ୍ଟେସନ୍ରେ ପହଞ୍ଚୁଥିଲେ ମୁସ୍କାନ। ଆଉ ଜଣେ ଯାତ୍ରୀଙ୍କ ପରି ନିଜ ଗ୍ୟାଙ୍ଗର ଅଟୋରେ ବସୁଥିଲେ। ସେପଟେ ଟ୍ରେନ୍ରେ ଲମ୍ୱା ଯାତ୍ରା କରି ଓହ୍ଲାଉଥିବା ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ଯେଉଁ ଯାତ୍ରୀମାନେ ଟ୍ରେନ୍ରୁ ଓହ୍ଲାଉଥିଲେ, ମୁସ୍କାନଙ୍କ ଇଶାରାରେ ସେମାନଙ୍କୁ ଡାକୁଥିଲା ଅଟୋ ଚାଳକ। ଅଟୋର ପଛ ସିଟ୍ରେ ଜଣେ ସୁନ୍ଦର ମହିଳା ବସିଥିବା ଭାବି ଯାତ୍ରୀ ଜଣକ ଚାଲି ଯାଉଥିଲା।
କିଛି ବାଟଗଲା ପରେ ନିଦ ଆସିବାର ବାହାନା କରି ଚାଳକ ଅଟୋ ଅଟକାଉଥିଲା। ଆଉ ଚାହା ପିଇବା ପାଇଁ ମୁସ୍କାନଙ୍କୁ ପ୍ରସ୍ତାବ ଦେଉଥିଲା। ମୁସ୍କାନ ସଙ୍ଗେ ସଙ୍ଗେ ହଁ ମାରୁଥିଲେ। ଏହା ପରେ ଅଟୋବାଲା ଯାଇ ଚାହା ଆଣୁଥିଲା। ଆଉ ଅଟୋରେ ବସିଥିବା ଯାତ୍ରୀଙ୍କୁ ଚାହା ପିଇବାକୁ ଦେଉଥିଲା। ତାଙ୍କୁ ନିଶା ବଟିକା ମିଶା ଚାହା ପିଇବାକୁ ଦେଉଥିବା ବେଳେ ସେମାନେ(ମୁସ୍କାନ ଓ ଅଟୋ ଚାଳକ) ଭଲ ଚାହା ପିଉଥିଲେ। ନିଶା ବଟିକା ମିଶା ଚାହା ପିଇବା ପରେ ଯାତ୍ରୀ ଜଣକ ସଂଜ୍ଞା ହରାଇ ପଡ଼ି ଯାଉଥିଲା। ତାଙ୍କୁ କୌଣସି ଏକ ନିଛାଟିଆ ସ୍ଥାନରେ ପକାଇ ଦେଇ ତାଙ୍କର ଲଗେଜ ଖୋଲି ସବୁ ଟଙ୍କା ଓ ଅନ୍ୟାନ୍ୟ ଜୀନିଷ ନେଇ ଯାଉଥିଲେ।
Powered by Froala Editor