ପୁରୀରୁ ଲଢ଼ିବେ ମୋଦୀ-ନବୀନ!

ପୁରୀ : ୨୦୨୪ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେଡି ବରିଷ୍ଠ ନେତା ରାମକୃଷ୍ଣ ଦାସମହାପାତ୍ରଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାର ଆଧାର। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ପରବର୍ତ୍ତୀ ସମୟରେ ଏହା ମିଛ ପ୍ରମାଣିତ ହୋଇଥିଲା। ଶେଷ ମୁହୂର୍ତ୍ତରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଲୋକସଭା ପ୍ରାର୍ଥୀ ହୋଇଥିଲେ। ଯଦିଓ ଜିତିପାରିଲେନି, ତଥାପି ପୁରୀ ଲୋକସଭା ଆସନରୁ ଭଲ ଭୋଟ ହାତେଇଥିଲେ।
ବିଜେଡି ତୁଳନାରେ ବିଜେପି କେବଳ ପୁରୀ ନିର୍ବାଚନମଣ୍ଡଳୀରୁ ୨୭ହଜାର ଭୋଟ ଅଧିକ ପାଇଥିଲା। ସେପଟେ ବିଜେଡି ଗଡ଼ କୁହାଯାଉଥିବା ପୁରୀ ଓ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ବି ବିଜେଡି ହାତରୁ ଖସି ଯାଇଥିଲା। ଦୁଇ ଆସନରେ ବିଜେପିର ବିଜୟ ହୋଇଥିଲା। ଗତ ସାଧାରଣ ନିର୍ବାଚନରେ ବିଜେପିର ଏହି ଚମତ୍କାରିତା ବିଜେପି ନେତା ଓ କର୍ମୀଙ୍କ ଉତ୍ସାହ ବଢ଼ାଇ ଦେଇଛି। ବିଜେପିକୁ ରୋକିବା ଲାଗି ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ାଇବ ବୋଲି ଚର୍ଚ୍ଚା ହେଉଛି। ବରିଷ୍ଠ ବିଜେଡି ନେତା ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ଆମେ ଚାହୁଛୁ ଓ ପ୍ରସ୍ତାବ ବି ଦେଉଛୁ, ମୁଖ୍ୟମନ୍ତ୍ରୀ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ନ୍ତୁ। ମୁଖ୍ୟମନ୍ତ୍ରୀ ଲଢ଼ିଲେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ବାଗତ କରିବେ। ପୁରୀରେ ଅନେକ ବିକାଶ କାମ ଚାଲିଛି। ଯେଉଁ କାମ ବାକି ରହିଯାଇଛି, ତାହା ସମ୍ପୂର୍ଣ୍ଣ ହୋଇପାରିବ।
Powered by Froala Editor