ବସ୍ତି ଧାରାବୀ ଏବେ କରୋନା ସଂକ୍ରମଣରୁ ମୁକ୍ତ
ମୁମ୍ବାଇ: ଏସିଆର ସବୁଠାରୁ ବଡ଼ ବସ୍ତି ଧାରାବୀ ଏବେ କରୋନା ସଂକ୍ରମଣରୁ ମୁକ୍ତ ହୋଇଛି । ପ୍ରଶାସନର ଯୋଜନାବଦ୍ଧ ପ୍ରୟାସ ସାଂଗକୁ ବସ୍ତି ବାସିଙ୍କ ସହଯୋଗ ମୁମ୍ବାଇର ଧାରାବୀ ବସ୍ତିକୁ କରୋନା ମୁକ୍ତ କରିଥିବା ଜଣାପଡ଼ିଛି । ଏକଦା କରୋନା ହଟସ୍ପଟ ଭାବେ ପରିଚିତ ଧାରାବୀରେ ଗତ ୩ ଦିନ ମଧ୍ୟରେ ମାତ୍ର ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି କୌଣସି ମାମଲା ସାମ୍ନାକୁ ଆସିନାହିଁ । ଧାରାବୀରେ ମୋ ସଂକ୍ରମଣ ମାମଲା ୬,୮୨୯ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪୫୧ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୧୯ ଜଣଙ୍କ ଚିକିତ୍ସା ଚାଲିଛି । ଏପ୍ରିଲ ଆରମ୍ଭରୁ ଧାରାବୀ କରୋନା ହଟସ୍ପଟ ହୋଇଯାଇଥିଲା ଏବଂ ୮ ଏପ୍ରିଲରେ ୯୯ ମାମଲା ଆସିଥିଲା । ସାଢେ଼ ୬ ଲକ୍ଷରୁ ଅଧିକ ଲୋକ ରହୁଥିବା ଏହି ବସ୍ତିରେ କରୋନା ନିୟନ୍ତଣ କରିବା ମୁମ୍ବାଇ ମହାନଗରପାଳିକା ପାଇଁ ଏକ ବଡ଼ ଚ୍ୟାଲେଂଜ ଥିଲା । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ପ୍ରାୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଥିବାରୁ ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୧୮ଟି ଜିଲ୍ଲାରୁ ଲକଡାଉନ ହଟାଇ ଦିଆଯାଇଛି ।
Powered by Froala Editor