ମୁଖ୍ୟମନ୍ତ୍ରୀ ଶାସନକୁ ଆସିବା ପରେ ସ୍ଥିତି ବଦଳିଛି: ରଣେନ୍ଦ୍ର ପ୍ରତାପ ସ୍ଵାଇଁ
ଭୁବନେଶ୍ବର: ଆଜିର ଅଧିବେଶନରେ ବିଧାନସଭାରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗ ଆଦିକୁ ନେଇ ଆଲୋଚନା ହେଉଛି। କୃଷି ବିଭାଗକୁ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ତାଙ୍କର ମତ ରଖି କହିଛନ୍ତି, ‘‘ରାଜ୍ୟରେ ଡାଲି ଜାତୀୟ ଚାଷକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ୨୦୨୩ – ୨୪ ବର୍ଷରେ ୪ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଚାଷ ପାଇଁ ଯୋଜନା କରାଯାଇଛି। ଏଥିପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ୩୦ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ। ଯେଉଁଠି ଡାଲି ଜାତୀୟ ଚାଷର ଭଲ ଉତ୍ପାଦନ ହେଉଛି, ସେହି ସ୍ଥାନକୁ ପ୍ରାଥମିକତା ଦିଆଯିବ।’’
ସେ ଆହୁରି ବି କହିଛନ୍ତି ଯେ, ‘‘ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ସ୍ଥିତି ବଦଳିଛି। ଓଡ଼ିଶା ଚଳିତବର୍ଷ ରେକର୍ଡ ଚାଉଳ ଉତ୍ପାଦନ କରିଛି। ହେଲେ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ରାଜି ନାହିଁ। ଯେଉଁଥିପାଇଁ ଚାଷ ବିବିଧକରଣ ଜରିଆରେ ଡାଲି ପରି ଶସ୍ୟ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ୩୦ ଜିଲ୍ଲାରେ ଡାଲି ଚାଷୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ଡାଲି ଚାଷ ପାଇଁ ୫୦ ପ୍ରତିଶତ ରିହାତିରେ କୀଟନାଶକ ଦିଆଯାଉଛି। ନୂତନ ବିହନ ଓ ପିଡିଆ ବି ଦିଆଯାଉଛି। ସେହିପରି ତୈଳ ଚାଷ ଉପରେ ବି ଗୁରୁତ୍ୱ ଦିଆଯାଉଛି। ’’
Powered by Froala Editor