ଏହି ୪ ହସ୍ପିଟାଲ ପରିସରରେ ପ୍ରତିଷ୍ଠା କରାଯିବ ସ୍ଥାୟୀ ହେଲିପ୍ୟାଡ
ଭୁବନେଶ୍ୱର: ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଦୁର୍ଗମ ଅଞ୍ଚଳକୁ ବିମାନ ଚିକିତ୍ସାସେବା ଯୋଗାଇବା ପରେ ବର୍ତ୍ତମାନ ସହରାଞ୍ଚଳରେ କିଭଳି ଗୁରୁତର ରୋଗୀଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇ ଦିଆଯାଇପାରିବ ଏବଂ ନିର୍ଦ୍ଧାରିତ ସମୟରେ ରୋଗୀଙ୍କୁ ଏମ୍ସ ଭଳି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରିବ ସେଥିପାଇଁ ଯୋଜନା ଚୂଡାନ୍ତ ହୋଇଛି।
ରାଜ୍ୟର ପ୍ରମୁଖ ୪ଟି ହସ୍ପିଟାଲ ପରିସରରେ ପ୍ରତିଷ୍ଠା କରାଯିବ ୪ଟି ସ୍ଥାୟୀ ହେଲିପ୍ୟାଡ। କଟକ ସ୍ଥିତ ଏସସିବି ମେଡିକାଲ, ସମ୍ବଲପୁରର ଭିଏସଏସ୍ ମେଡିକାଲ ଓ ବ୍ରହ୍ମପୁରର ଏମକେସିଜି ମେଡିକାଲ ସହିତ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ବାୟୁମାର୍ଗରେ ସଂଯୋଗ କରାଯିବ। ଫଳରେ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରିବାରେ ଅଧିକ ସମୟ ଲାଗିବ ନାହିଁ କିମ୍ବା ଟ୍ରାଫିକ ଜନିତ ସମସ୍ୟା ଯୋଗୁଁ କାହାର ଜୀବନ ଯିବନାହିଁ। ଏଥିପାଇଁ ସରକାରୀ ସ୍ତରରେ ନିତିଗତ ନିଷ୍ପତ୍ତି ହୋଇସାରିଛି। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଖୁବଶୀଘ୍ର ‘ଲକ୍ଷ୍ମୀ’ ଯୋଜନା ଜରିଆରେ ଗ୍ରାମାଞ୍ଚଳରେ ସଡକ ପରିବହନ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ସାମିଲ କରି ରାଜ୍ୟର ୪ଟି ମେଡିକାଲ କ୍ୟାମ୍ପସରୁ ବିମାନସେବାକୁ ଖୁବଶୀଘ୍ର କାର୍ୟ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଡିପିଆଇ ଆଣ୍ଡ ରୋଡ୍ସ ବିଭାଗ ମୁଖ୍ୟ ଯନ୍ତ୍ରୀ(ଓଡ଼ିଶା)ଙ୍କୁ ଚିଠି ଲେଖି ଲେଖାଯାଇଥିବା ଜଣାପଡ଼ିଛି। ଏଥି ସହିତ କଟକ ସ୍ଥିତ ଏସ ସି ବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଅଧ୍ୟକ୍ଷଙ୍କ ସମେତ ଭୁବନେଶ୍ୱର ସ୍ଥିତ ଏମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଚିଠି ଜରିଆରେ ହସ୍ପିଟାଲ କ୍ୟାମ୍ପସ ପରିସରରେ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବାକୁ ମଧ୍ୟ କୁହାଯାଇଛି।
Powered by Froala Editor