ହୀରାକୁଦ ଡ୍ୟାମ:୨୬ଟି ଗେଟ୍ ଦେଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ
ସମ୍ବଳପୁର : ବଢିବାରେ ଲାଗିଛି ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା। ଉପର ମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ପୁଣି ହୀରାକୁଦ ଜଳ ଭଣ୍ଡାର’ର ଆଉ ୪ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ୍ ୨୬ଟି ଗେଟ୍ ଦେଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ କରାଯାଉଛି।
ବାମ ପଟୁ ୧୬ଟି ଓ ଡାହାଣ ପଟର ୧୦ଟି ଗେଟ୍ ଖୋଲିଛି। ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୭.୯୫ ଫୁଟ ଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ସେହି ଅନୁପାତରେ ୩ ଲକ୍ଷ ୮୯ ହଜାର ୧୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଜଳଭଣ୍ଡାରର ଜଳ ନିୟନ୍ତ୍ରଣ ପାଇଁ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
ହୀରାକୁଦ ଗେଟ୍ ଖୋଲିବା ପରେ ଫୁଲୁଛି ମହାନଦୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର। ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ ଦେଇ ୬ ଲକ୍ଷ ୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି।
ଅନ୍ୟପଟେ ମୁଣ୍ଡଳୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ସେପଟେ ବାଙ୍କୀରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ। ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ବାଙ୍କୀର ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।
ଅନ୍ୟପଟେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପଶିଲା ମହାନଦୀର ଦ୍ବିତୀୟ ବନ୍ୟାଜଳ। ପାଣି ଆସିବାରୁ ରତ୍ନଗିରି ପାହାଡ଼ରେ ମାଙ୍କ ଆଶ୍ରୟ ସ୍ଥଳୀକୁ ମା’ଙ୍କୁ ସ୍ଥାନାନ୍ତର କରାଯାଇଛି ।
Powered by Froala Editor