ସୁନାଚେନ୍ ପାଇଁ ସ୍ତ୍ରୀକୁ ଖଣ୍ଡ ଖଣ୍ଡ କାଟି ନଦୀରେ ଫିଙ୍ଗିଦେଲା ସ୍ୱାମୀ
ନବବିବାହିତା ସ୍ତ୍ରୀଙ୍କୁ ଖଣ୍ଡ ଖଣ୍ଡ କରି କାଟି ନଦୀକୁ ଫିଙ୍ଗିଦେଇଛନ୍ତି ସ୍ବାମୀ। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଗଞ୍ଜାମ ଜିଲା ସୋରଡ଼ା ଥାନା ଭଗବାନପୁର ଗ୍ରାମରେ। କବିସୂର୍ଯ୍ୟନଗର ବ୍ଲକ ଜାଗିଲିପଦର ଗାଁର ବୁଲି ମୁଳିଙ୍କୁ ପ୍ରେମ କରୁଥିଲେ ଭଗବାନପୁର ଗାଁରେ ନାରାୟଣ ମୁଳି। ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଦୁଇ ପରିବାରର ସହମତିରେ ଗାଁ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା। ତିନି ମାସ ତଳେ ବୁଲିଙ୍କ ସିନ୍ଥିରେ ସିନ୍ଦୂର ଦେଇଥିଲେ ନାରାୟଣ। ଗାଁ ମନ୍ଦିରରୁ ଉଠିଥିଲା ସବାରୀ। ବେଶ୍ ହସଖୁସିରେ ଚାଲିଥିଲା ସଂସାର ରଥ।
ଅର୍ଥାଭାବ ଯୋଗୁ ନାରାୟଣ ଶ୍ୱଶୁର ଘରେ ରହୁଥିଲେ। ତେବେ କିଛିଦିନ ତଳେ ଉଭୟ ଭଗବାନପୁର ଆସିଥିଲେ। ବୁଧବାର ରାତିରେ ଘରେ ବୁଲି ଓ ନାରାୟଣ ଏକାକୀ ଥିଲେ। ରାତି ପ୍ରାୟ ୧୨ଟା ହେବ। ନାରାୟଣ ବୁଲିଙ୍କୁ ତାଙ୍କର ସୁନାଚେନ ମାଗିଥିଲେ। ବୁଲି ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। କ୍ଷଣିକ ଉତ୍ତେଜନାରେ ବଶବର୍ତ୍ତୀ ହୋଇ ବୁଲିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ନାରାୟଣ।
ବିଳମ୍ୱିତ ରାତିରେ ବୁଲିଙ୍କ ମୃତଦେହକୁ ଲୁଗାରେ ଗୁଡ଼ାଇ କାନ୍ଧରେ ପକାଇ ଋଷିକୂଲ୍ୟ ନଦୀ ପଠାକୁ ନେଇଯାଇଥିଲେ ନାରାୟଣ। ସେଠାରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ଏକ ଧାରୁଆ କଟୁରୀରେ ପ୍ରଥମେ ବୁଲିଙ୍କ ଗୋଡ଼, ଜଙ୍ଘ, ଦୁଇ ହାତ, ମୁଣ୍ଡକୁ କାଟି ଉଛୁଳା ଋଷିକୂଲ୍ୟକୁ ଫିଙ୍ଗି ଦେଇଥିଲେ। ଆଉ ରାତି ଥାଉଁଥାଉଁ ସେ ଘରକୁ ଫେରିଆସିଥିଲେ। ହେଲେ ରାତିରେ ଘରେ ଶୋଇ ପାରିନଥିଲେ।
ରାତି ସାରା ଘର ଚାରି ପାର୍ଶ୍ୱରେ ଘୂରି ବୁଲିଥିଲେ। ରାତି ପାହିଲା ପରେ ସୋରଡ଼ା ଥାନାକୁ ଯାଇଥିଲେ। ଆଉ ନିଜ ପତ୍ନୀଙ୍କୁ ହତ୍ୟାକରି ଋଷିକୂଲ୍ୟା ନଦୀକୁ ଫିଙ୍ଗି ଦେଇଥିବା କହିଥିଲେ।
Powered by Froala Editor