ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଲା । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସୋନପୁର, ବୌଦ୍ଧ, ଅନୁଗୋଳ,ଢେଙ୍କାନାଳ, କଟକ, ନୟାଗଡ଼,ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୨୦ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼ ଓ ସମ୍ୱଲପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହାଛଡ଼ା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Powered by Froala Editor