୧୩ ରୁ ଓସେପା ୱେବ୍ସାଇଟ୍ରେ ଶିକ୍ଷକ ପଦବୀ ପାଇଁ ଆବେଦନ
ଭୁବନେଶ୍ୱର, : ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ବିଭାଗ ଆଶା ରଖିଛି।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ(ସିମାଟିକ୍) ନିଯୁକ୍ତି ପାଇବେ। ଏଥିପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ୱେବ୍ସାଇଟ୍ https://osepa.odisha.gov.inରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୧୩ ତାରିଖରୁ ଓସେପା ୱେବ୍ସାଇଟ୍ରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ଅକ୍ଟୋବର ୧୦ ତାରିଖ ହେଉଛି ଆବେଦନର ଶେଷ ସମୟ। କିଛିବର୍ଷ ବ୍ୟବଧାନରେ ଏହି ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।
ବିଭାଗ ଅଧୀନରେ ହେବାକୁ ଥିବା ଏହି ୨୦ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ରେ କରାଯିବ। କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲା ଅନୁସାରେ ଜିଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଓସେପା ୱେବ୍ସାଇଟ୍ରେ ନିଯୁକ୍ତି ପାଇଁ ଜିଲାୱାରି ପଦବୀ, ଲିଖିତ ପରୀକ୍ଷାର ସିଲାବସ୍, କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି। ଉକ୍ତ ଓ୍ବେବସାଇଟ୍ରେ ଆଶାୟୀମାନେ ଆବେଦନ କରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନକୁ ଗ୍ରହଣ କରାଯିବ ନାହିଁ। ଆଶାୟୀମାନେ ଉପଯୁକ୍ତ ଇମେଲ୍ ଆଇଡି ଏବଂ ମୋବାଇଲ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ। ଏହାପରେ ଆବଶ୍ୟକ ତଥ୍ୟ ଅପଲୋଡ୍ କରିବାକୁ ହେବ। ଆବେଦନ ସମୟରେ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ଆଶାୟୀମାନେ ହେଲ୍ପଡେସ୍କ ନଂ.୭୩୫୩୯୨୭୭୭୯ରେ ସପ୍ତାହର ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ ବୋଲି ଓସେପା ପକ୍ଷରୁ କୁହାଯାଇଛି।
Powered by Froala Editor