ଜି-୨୦ ସମ୍ମିଳନୀରେ ‘ଇଣ୍ଡିଆ’ ନୁହେଁ ଚିହ୍ନିତ ହେଲା ‘ଭାରତ’
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୁଇ ଦିନିଆଇ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି । ଏନେଇ ଭାରତ ମଣ୍ଡପରେ ବିଶ୍ୱର ବଡ଼ ବଡ଼ ନେତା ଓ ରାଷ୍ଟ୍ରଦୂତ ଏକାଠି ହୋଇଛନ୍ତି । ସମ୍ମିଳନୀରେ ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ ଭାଷଣ ଦେଇଛନ୍ତି ।
ତେବେ ସବୁଠାରୁ ବଡ଼ କଥା ହେଲା ଯେ ଜି-୨୦ ସମ୍ମିଳନୀ ମଞ୍ଚରୁ ବିଶ୍ୱକୁ ‘ଭାରତ’ ବାର୍ତ୍ତା ଦିଆଯାଇଛି । ଜି-୨୦ ସମ୍ମିଳନୀରେ ‘ଇଣ୍ଡିଆ’ ନୁହେଁ ଚିହ୍ନିତ ହେଲା ‘ଭାରତ’ । ପ୍ରଧାନମନ୍ତ୍ରୀ ମୋଦି ବସିଥିବା ସିଟରେ ‘ଇଣ୍ଡିଆ’ ଲେଖା ହୋଇନଥିବା ଦେଖିବାକୁ ମିଳିଛି । ମୋଦିଙ୍କ ସିଟ ଫଳକରେ ଇଂରାଜୀରେ ‘ଭାରତ’ ବୋଲି ଲେଖା ହୋଇଛି । ପୂର୍ବରୁ ରାଷ୍ଟ୍ରପତିଙ୍କ ନୈଶଭୋଜି ନିମନ୍ତ୍ରଣ ପତ୍ରରେ ବି ‘ଭାରତ’ ବୋଲି ଲେଖା ହୋଇଥିଲା ।
ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମରକ୍କୋ ଭୂମିକମ୍ପ ଅଘଟଣରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଭୂମିକମ୍ପ ଜନିତ ମୃତାହତ ନେଇ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଭୂକମ୍ପ କ୍ଷତିଗ୍ରସ୍ତ ମରକ୍କୋ ସହ ପୁରା ବିଶ୍ବ ଅଛି । ଏହି ଦୁଃଖଦ ସମୟରେ ମରକ୍କୋକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଜି-୨୦ ସମ୍ମିଳନୀ ସ୍ଥଳକୁ ବିଶ୍ବ ନେତୃବୃନ୍ଦମାନଙ୍କୁ ସ୍ବାଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ସକାଳେ ଭାରତ ମଣ୍ଡପମ ଠାରେ ପହଞ୍ଚିଥିଲେ । ଏହାପରେ ଜଣକ ପରେ ଜଣେ ଜି-୨୦ ଅତିଥିମାନେ ସେଠାରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସମସ୍ତ ଅତିଥିମାନଙ୍କ ସହ ହାତ ମିଳାଇ ଭିତରକୁ ସ୍ବାଗତ କରିଥିଲେ । ପ୍ରଥମେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପରିଚାଳନା ନିର୍ଦ୍ଦେଶିକା ସମ୍ମିଳନୀ ସ୍ଥଳରେ ପହଞ୍ଚିଥିଲେ । ଏହାପଛକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଗତି ମୈଦାନକୁ ଆସିଥିଲେ । ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷ ସୁନକ, ତୁର୍କୀ ରାଷ୍ଟ୍ରପତି ତଇପ୍ ଏର୍ଡୋଗାନ, ବ୍ରାଜିଲ ରାଷ୍ଟ୍ରପତି ପ୍ରମୁଖ ପହଞ୍ଚିଥିଲେ । ତେବେ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ମୋଦି କରମର୍ଦ୍ଧନ କରି ସ୍ବାଗତ କରିଥିଲେ ।
Powered by Froala Editor