ମସଲା ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଦେଢ଼ ଲକ୍ଷ

କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳ ଆକୁଳ ସାପ୍ତାହିକ ହାଟରେ ୨ ଜଣ ଦୁର୍ବୃତ୍ତମାନେ ବାଇକ୍ରେ ଆସି ୨ ଜଣ ବେପାରୀଙ୍କୁ ବନ୍ଧୁକ ଦେଖାଇ ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ବେପାରୀ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଗୋଳାଗାଡିଆ ଗ୍ରାମର ଦୁଇ ଭାଇ ଶରତ ସାହୁ(୫୩) ଓ ଭରତ ସାହୁ(୪୮)। ଗୁରୁତର ଅବସ୍ଥାରେ ଦୁଇ ବେପାରୀଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ୍ ମାମଲା ରୁଜୁ କରି ଘଟଣାର ଖୋଳତାଡ ଆରମ୍ଭ କରିଛି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗୋଳାଗାଡ଼ିଆ ଶରତ ସାହୁ ଓ ତାଙ୍କ ଭାଇ ଭରତ ସାହୁ ହେଉଛନ୍ତି ମସଲା ବ୍ୟବସାୟୀ। ଦୁଇ ଭାଇ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ସାପ୍ତାହିକ ହାଟକୁ ମସଲା ବିକିବା ପାଇଁ ଯାଇଥିଲେ। ହାଟ ବ୍ୟବସାୟ ସରିବା ପରେ ଦୁଇ ଭାଇ ଦୋକାନ ବନ୍ଦ କରୁଥିଲେ। ସେହି ସମୟରେ ଦୁଇ ଜଣ ଯୁବକ ମୁଖା ପିନ୍ଧି ଏକ କଳା ପଲସରରେ ସେଠାରେ ପହଞ୍ଚିଥିଲେ। ଜଣେ ବନ୍ଧୁକ ଦେଖାଇଥିଲା ଓ ଅନ୍ୟଜଣେ ଏକ ଧାରୁଆ ଅସ୍ତ୍ରରେ ଦୁଇଜଣକୁ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଭୁଜାଲି ମାଡ଼ରେ ଶରତଙ୍କ ମୁଣ୍ଡ, ପିଠି, ଗୋଡ ଓ ହାତରେ ଆଘାତ ଲାଗିଛି। ଭରତ ମଧ୍ୟ ଆହତ ହୋଇଛନ୍ତି।
Powered by Froala Editor