ଲାଗିଲା ପୋଷ୍ଟର: ଉଦୟନିଧିଙ୍କୁ ଚାପୁଡା ମାରିଲେ ୧୦ ଲକ୍ଷ ପୁରସ୍କାର ଘୋଷଣା

ଅମରାବତୀ: ତାମିଲୁନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ମୂଳପୋଛ ଟିପ୍ପଣୀକୁ ନେଇ ଦେଶବ୍ୟାପୀ ବିବାଦ ଜୋର ଧରିଛି । ଏହି ଟିପ୍ପଣୀ ପାଇଁ ଉଦୟନିଧିଙ୍କ ମୁଣ୍ଡକାଟ କରିବାକୁ ଅଯୋଧ୍ୟାର ସନ୍ଥ ୧୦ କୋଟି ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଏବେ ତାଙ୍କୁ ଚାପୁଡା ମାରିବା ପାଇଁ ଗୋଟିଏ ହିନ୍ଦୁ ସଂଗଠନ ପୁରସ୍କାର ଘୋଷଣା କରି ପୋଷ୍ଟର ଲଗାଇଛି । ଉଦୟନିଧି ଷ୍ଟାଲିନଙ୍କୁ ଯିବେ ଚାପୁଡ ମାରିବ, ତାକୁ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଏହି ପୋଷ୍ଟରରେ ଲେଖାଯାଇଛି । ଆନ୍ଧ୍ରପ୍ରଦେଶର ଜନ ଜାଗରଣ ସମିତି ନାମକ ଏକ ସଂଗଠନ ବିଜୟୱାଡାର ବିଭିନ୍ନ ସ୍ଥାନରେ ଉକ୍ତ ପୋଷ୍ଟର ଲଗାଇଛି ।
ଦୁଇ ଦିନ ପୂର୍ବରୁ ଅଯୋଧ୍ୟା ସ୍ଥିତ ତପସ୍ବୀ ଚାୱନି ମନ୍ଦିରର ମୁଖ୍ୟ ପୂଜକ ପରମହଂସ ଆଚାର୍ୟ୍ୟ ଉଦୟନିଧିଙ୍କ ଶିରଚ୍ଛେଦ ପାଇଁ ଆହ୍ବାନ କରିଥିଲେ । ସନାତନ ଧର୍ମ ବିରୋଧୀ ଟିପ୍ପଣୀ ପାଇଁ ଯିଏ ତାଙ୍କର ମୁଣ୍ଡକାଟ କରିବ ସେ ତାକୁ ୧୦ କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ । ଏମିତିକି ଯଦି କେହି ତାଙ୍କୁ ମାରିବା ପାଇଁ ସାହାସ କରନ୍ତିନି ତେବେ ସେ ନିଜେ ତାଙ୍କୁ ଖୋଜି ହତ୍ୟା କରିବେ ବୋଲି ସନ୍ଥ କହିଥିଲେ ।
ଗତ ଶନିବାର ଦିନ ଏକ କାର୍ୟ୍ୟକ୍ରମରେ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରି କହିଥିଲେ ଯେ, କିଛି ଜିନିଷକୁ ବିରୋଧ କରାଯାଇ ପାରିବନି, ଏହାକୁ ସବୁଦିନ ପାଇଁ ବିଲୋପ କରିବାକୁ ପଡିବ । ଡେଙ୍ଗୁ, ମ୍ୟାଲେରିଆ, କୋରୋନାକୁ ବିରୋଧ କରିପାରିବା ନାହିଁ । ଏହାକୁ ମୂଳପୋଛ କରିବା ଆବଶ୍ୟକ । ସେହିଭଳି ସନାତନ ଧର୍ମକୁ କେବଳ ବିରୋଧ କଲେ ଚଳିବନି ଏହାକୁ ମୂଳୋତ୍ପଟନ କରିବା ଦରକାର । ମନ୍ତ୍ରୀଙ୍କ ଏହି ବିବାଦୀୟ ବୟାନ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ଦେଶରେ ବିବାଦ ମୁଣ୍ଡ ଟେକିଥିଲା ।
Powered by Froala Editor