ବର୍ଷିକିଆ ଚୁକ୍ତି: ୨୦ ହଜାର କନିଷ୍ଠ ଶିକ୍ଷକ ହେବେ ନିଯୁକ୍ତ

ଭୁବନେଶ୍ୱର: ବର୍ଷିକିଆ ଚୁକ୍ତିରେ ନିଯୁକ୍ତ ହେବେ ୨୦ ହଜାର କନିଷ୍ଠ ଶିକ୍ଷକ (ସ୍କିମେଟିକ୍) । ଏଥି ପାଇଁ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଖୁବ୍ ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିରେ ଜିଲ୍ଲାୱାରୀ ପଦବୀ, ଦରମା, ପରୀକ୍ଷା ପାଇଁ ସିଲାବସ୍ ଆଦି ସଂପର୍କିତ ସମସ୍ତ ସୂଚନା ଦିଆଯିବ । ଏକ ବର୍ଷିଆ ଚୁକ୍ତିନାମା ଅନୁଯାୟୀ ନିଯୁକ୍ତି ଦିଆଯିବ । କାର୍ୟ୍ୟ ଦକ୍ଷତା ଅନୁସାରେ ଚୁକ୍ତିନାମା ନବୀକରଣ କରାଯିବ ।
ଓସେପା ପକ୍ଷରୁ କେନ୍ଦ୍ରୀୟ ସଂସ୍ଥା ଏଡ୍ସିଲ୍କୁ ଦକ୍ଷତା ପରୀକ୍ଷା ଆୟୋଜନର ଦାୟିତ୍ୱ ଦିଆଯିବ । ଏହି ସମସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପାଇଁ ଜଣେ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । କନିଷ୍ଠ ଶିକ୍ଷକ ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ଆସନ୍ତା ମାସରୁ ଆରମ୍ଭ ହେବ । ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ)ର ପରିବର୍ତ୍ତିତ ନିଷ୍ପତ୍ତିକୁ ଆଧାର କରି ନିଯୁକ୍ତି ପ୍ରକ୍ରିୟା କରାଯିବ । ସେହିପରି ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ସମସ୍ତ ନିଷ୍ପତ୍ତି ବିଜ୍ଞପ୍ତିରେ ପ୍ରକାଶ ପାଇବ । ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ ।
ଶିକ୍ଷକ ନିଯୁକ୍ତି ପାଇଁ ଅନ୍ଲାଇନ୍ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ହେବ । ଅନ୍ଲାଇନ୍ରେ ଆବେଦନ ହେବ । ସମସ୍ତ ନିଯୁକ୍ତି ପ୍ରକ୍ରିୟା ଓସେପା ୱେବ୍ସାଇଟ୍ରେ ପ୍ରକାଶିତ ହେବ । ୨ଟି କ୍ୟାଟେଗୋରୀରେ କନିଷ୍ଠ ଶିକ୍ଷକ ନିଯୁକ୍ତ ହେବେ । ପ୍ରଥମ କ୍ୟାଟେଗୋରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ରହିଥିବା ବେଳେ ଦ୍ୱିତୀୟ କ୍ୟାଟେଗୋରୀରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ନିଯୁକ୍ତି ଦିଆଯିବ । ଉଭୟ କ୍ୟାଟେଗୋରୀ ପାଇଁ ଓଟିଇଟି ପରୀକ୍ଷା ପାସ୍ ସହିତ ଏମ୍ଆଇଏଲ୍ ଓଡ଼ିଆକୁ ପ୍ରାଧ୍ୟାନ୍ୟ ଦିଆଯାଇଛି । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ୨ ପରୀକ୍ଷା ପାସ୍ କରିଥିବା ଆବେଦନକାରୀଙ୍କୁ ଅଗ୍ରାଧିକାର ଦିଆଯିବ । ଆବେଦନକାରୀଙ୍କ ବୟସ ସୀମା ୧୮ରୁ ୩୮ ରହିବ । ଏସ୍ସି, ଏସ୍ଟି, ମହିଳା, ଏସ୍ଇବିସି ବର୍ଗର ଆବେଦନକାରୀଙ୍କୁ ୫ବର୍ଷ ବୟସ ଛାଡ଼ କରାଯିବ । ଶାରୀରିକ ଭିନ୍ନକ୍ଷମଙ୍କୁ ୧୦ବର୍ଷ ବୟସ ଛାଡ଼ କରାଯିବ । ସଂରକ୍ଷଣ କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟ ୧୯୭୫ ଓ ଓସିଏସ୍ ରୁଲ୍ ୧୯୯୪ ଅନୁଯାୟୀ ଏସ୍ସି ଓ ଏସ୍ଟି ବର୍ଗର ଆବେଦନକାରୀଙ୍କ ପାଇଁ ସଂରକ୍ଷଣ ରଖାଯିବ ।
Powered by Froala Editor