ଚନ୍ଦ୍ରଯାନ-୩କୁ ନେଇ କାର୍ଟୁନ କଲେ ପ୍ରକାଶ ରାଜ, ଟ୍ରୋଲ କଲେ ୟୁଜର୍ସ
ଚନ୍ଦ୍ରପୃଷ୍ଠରେ ଐତିହାସିକ ଅବତରଣ ପୂର୍ବରୁ 'ଏଲ୍ପିଡିସି' କ୍ୟାମେରା ଦ୍ବାରା ଚନ୍ଦ୍ରଯାନ-୩ ଉଠାଇଥିବା ଚନ୍ଦ୍ରର ଅପରପାର୍ଶ୍ବର କେତୋଟି ଫଟୋ 'ଇସ୍ରୋ' ସେୟାର୍ କରିଛି। ଏହି ମିଶନକୁ ସାଉଥ ସୁପରଷ୍ଟାର ପ୍ରକାଶ ରାଜ୍ ସମାଲୋଚନା କରି ଟ୍ରୋଲ ହୋଇଛନ୍ତି।
ଲୁଙ୍ଗି, ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଚା' ଛାଣୁଥିବାର ଏକ କାର୍ଟୁନ ପୋଷ୍ଟ କରିଛନ୍ତି ପ୍ରକାଶ ରାଜ୍ । ଫଟୋରେ ଜଣେ ବ୍ୟକ୍ତି ଲୁଙ୍ଗି ପିନ୍ଧିଥିବା ସହ ଚା' ଢ଼ାଳୁଥିବା ଦେଖାଯାଇଛି। ଏଭଳି ଫଟୋ ପୋଷ୍ଟ କରି ପ୍ରକାଶ ରାଜ୍ ଲେଖିଛନ୍ତି, 'ଚନ୍ଦ୍ରରୁ ବିକ୍ରମ ଲ୍ୟାଣ୍ଡର ପଠାଇଥିବା ପ୍ରଥମ ଫଟୋ। ଏହା ପରେ ହାସଟ୍ୟାଗ୍ ଦେଇ ଜଷ୍ଟ ଆସ୍କିଙ୍ଗ ବୋଲି ଲେଖିଛନ୍ତି ପ୍ରକାଶ ।
ଯାହାକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି । ଅନେକ ୟୁଜର୍ସ ତାଙ୍କୁ ସମାଲୋଚନା କରୁଥିବା ବେଳେ କେତେଜଣ ତାଙ୍କ ସମର୍ଥନରେ ମଧ୍ୟ ଟୁଇଟ କରୁଛନ୍ତି । କଂଗ୍ରେସର ବରିଷ୍ଠ ନେତା ଅଭିଷେକ ସିଂବୀ ପ୍ରକାଶ ରାଜଙ୍କ ଏହି ପୋଷ୍ଟକୁ ଲଜ୍ଜାଜନକ ବୋଲି କହିଛନ୍ତି। ଏହା ସହ ଚନ୍ଦ୍ରଯାନ ମିଶନ ସାରା ଭାରତ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ପ୍ରକାଶଙ୍କ ଏଭଳି ପୋଷ୍ଟକୁ ନାପସନ୍ଦ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଏଥିପାଇଁ ରବିବାର ସକାଳେ ଦ୍ବିତୀୟ ତଥା ଚୂଡ଼ାନ୍ତ ବେଗହ୍ରାସ ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ କରାଯାଇଥିଲା।
Powered by Froala Editor