ଚାକିରିରୁ ବହିଷ୍କାର ହେଲେ ୧୨ ନକଲି ଶିକ୍ଷକ
ରାୟଗଡା: ରାୟଗଡା ଜିଲାରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ୧୨ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛି ଶିକ୍ଷା ବିଭାଗ । ସେଥିରୁ ୭ଜଣ ନକଲି ବି.ଇଡ଼ି ସାର୍ଟିଫିକେଟ ଦେଇଥିବା ବେଳେ ଜଣେ ନକଲି ସିଟି ସାର୍ଟିଫିକେଟ, ଦୁଇ ଜଣ ଯୁକ୍ତ ୨ ସାର୍ଟିଫିକେଟ ଓ ଜଣେ ଯୁକ୍ତ ୩ ସାର୍ଟିଫିକେଟ ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା । ତେଣୁ ସେମାନଙ୍କୁ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଚାକିରିରୁ ବହିଷ୍କାର କରାଯାଇଛି । ନକଲି ବି.ଇଡ଼ି ସାର୍ଟିଫିକେଟ ଦେଇଥିବା ୭ଜଣଙ୍କ ମଧ୍ୟରୁ ଚନ୍ଦ୍ରପୁର ବ୍ଲକର ଗଣେଷ ଚନ୍ଦ୍ର ବିଷୋୟୀ, ପାର୍ଥେନ୍ଦୁ ବାରିକ, କାଶୀପୁର ବ୍ଲକର ଲୋକନାଥ ମହାପାତ୍ର ଏବଂ ମୁନିଗୁଡା ବ୍ଲକର ଶିକ୍ଷୟିତ୍ରୀ ସୁମିତ୍ରା ଡାକୁଆ, ଶ୍ରୀକାନ୍ତ କୁମାର ଦାସ, ପୂର୍ଣଚନ୍ଦ୍ର ଶବର, କୋଲନରା ବ୍ଲକର ହରେଶ କୁମାର ପଣ୍ଡୁ । ରାଜ୍ୟ ବାହାରର ବିଶ୍ୱ ବିଦ୍ୟାଳୟର ନକଲି ସାର୍ଟିଫିକେଟ ଦେଇ ଶିକ୍ଷା ସହାୟକ ଚାକିରି ପାଇଥିବା ତଦନ୍ତରୁ ଜଣାପଡ଼ିଛି ।
ନକଲି ସିଟି ସାର୍ଟିଫିକେଟ ଦେଇ କାଶୀପୁର ବ୍ଲକରେ ନିଯୁକ୍ତି ପାଇଥିବା ପଂଜୀବ ମାଝୀଙ୍କୁ ମଧ୍ୟ ବହିସ୍କୃତ କରାଯାଇଛି । ସେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଦିଆଯାଉଥିବା ଭଳି ଅବିକଳ ନକଲ ସିଟି ସାର୍ଟିଫିକେଟ ଦେଇଥିବା ତଦନ୍ତରୁ ଜଣାପଡ଼ିଛି । ତେବେ କେବଳ ରାଜ୍ୟ ବାହାର ସାର୍ଟିଫିକେଟ ନୁହଁ ଓଡିଶା ବିଏସଇ ଏବଂ ସିଏଚଏସଇ ସାର୍ଟିଫିିକେଟ ମଧ୍ୟ ନକଲି ବୋଲି ଜଣାପଡିଛି।ରାୟଗଡା ବ୍ଲକର ଚନ୍ଦନ କୁମାର ବେହେରା ନକଲି ଯୁକ୍ତ ୩ ସାର୍ଟିଫିକେଟ ଦାଖଲ କରିଥିବା ବେଳେ କାଶୀପୁର ବ୍ଲକର ଶମ୍ଭୁ କହଁର ଓ ରଘୁନାଥ ବିଡିକା ନକଲି ଯୁକ୍ତ ଦୁଇ ସାର୍ଟିଫିକେଟ ଦାଖଲ କରି ଚାକିରି ପାଇଥିଲେ । ଭୁବନେଶ୍ୱର ସ୍ଥିତ ରାଜ୍ୟ ସରକାରଙ୍କ ସିଏଚଏସଏଇ ବୋର୍ଡ଼ ପ୍ରଦତ ଭଳି ଜାଲ ସାର୍ଟିଫିକେଟ ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା । ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବରୁ ସାର୍ଟିଫିକେଟ ଯାଂଚ ପରେ ୧୨ଜଣଙ୍କୁ ବହିଷ୍କାର କରାଯାଇଛି । ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କ ନାମରେ ସମ୍ପୃକ୍ତ ଥାନାରେ ମାମଲାର ରୁଜୁ କରିବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି । ମାମଲା ଦାଏର ପରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ । ତେବେ ଜିଲାରେ ପୂର୍ବରୁ କିଛି ଜଣ ବହିଷ୍କୃତ ହୋଇଥିବା ବେଳେ ବର୍ତମାନ ଆଉ ୧୨ଜଣ ଧରାପଡ଼ି ବହିଷ୍କୃତ ହୋଇଛନ୍ତି ।
Powered by Froala Editor