ବୋହୂକୁ ଗରମ ତାୱାରେ ଚେଙ୍କ: ଅଧ୍ୟାପିକା ଶାଶୂ ଓ ସ୍ୱାମୀ ଗିରଫ
ପିଲାଙ୍କୁ ନୈତିକତାର ପାଠ ପଢାଉଥିବା ଜଣେ ଅଧ୍ୟାପିକାଙ୍କ ଅସଲ ଚେହେରା ପଦାରେ ପଡିଯାଇଛି । ପ୍ରକୃତରେ ଅଧ୍ୟାପିକା ଜଣେ ନୃଶଂସ । ବାହାରେ ଚିକଣ କଥା କହୁଥିବା ଅଧ୍ୟାପିକା ଘରେ ବୋହୂକୁ ଗୋରୁଙ୍କ ଠାରୁ ହୀନ ବ୍ୟବହାର ଦେଖାଉଥିଲେ । ତେବେ ବୋହୂ ମୁହଁ ଖୋଲିବା ପରେ ଅଧ୍ୟାପିକାଙ୍କ ସହ ତାଙ୍କ ପୁଅ ଗିରଫ ହୋଇଛନ୍ତି ।
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଲତାବିଲ ଅଞ୍ଚଳର ଭାଗୀରଥି ବେହେରାଙ୍କ ଝିଅ ରଶ୍ମିତା ଜଗତସିଂହପୁର ଉଗ୍ରତାରା କଲୋନୀ ବାସିନ୍ଦା ଖାରବେଳ ଦିଗବିଜୟ ପାତ୍ରଙ୍କୁ ବିବାହ କରିଥିଲେ । ବିବାହ ସମୟରେ ସକ୍ଷମ ଅନୁସାରେ ସମସ୍ତ ଜିନିଷପତ୍ର ଦେଇଥିଲେ ବାପଘର ଲୋକ । କିନ୍ତୁ ଅଧିକ ଯୌତୁକ ଦାବି କରି ରଶ୍ମିତାଙ୍କୁ ନିର୍ଯାତନା ଦେଉଥିଲେ ଶାଶୂଘର ଲୋକ । ଜୁନ ୫ ତାରିଖରେ ରଶ୍ମିତା ରୁଟି ତିଆରି କରୁଥିବା ବେଳେ ରୁଟି ସମାନ୍ୟ ପୋଡ଼ିଯିବାରୁ ଅଧ୍ୟାପିକା ଶାଶୂ ସୁପ୍ରଭା ଜେନା ତାତିଲା ତାଓ୍ବାରେ ରଶ୍ମିତାଙ୍କୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଥିଲା ।
ଚେଙ୍କ ଦେବା ପରେ ବି ତାଙ୍କ ମନ ଶାନ୍ତ ହୋଇ ନଥିଲା। ସେ ଗୋଟିଏ ଚିମୁଟାରେ ତାଙ୍କ ଜଙ୍ଘକୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିସହ ହେମଦସ୍ତା ବାଡ଼ିକୁ ବେକରେ ପକାଇ ତାଙ୍କୁ ଜୀବନରୁ ମାରିଦେବା ଭଳି ଉଦ୍ୟମ କରିବାକୁ ବି ପଛେଇ ନଥିଲେ। ଏଥିରେ ରଶ୍ମିତାଙ୍କ ସ୍ୱାମୀ ଖାରବେଳ ମଧ୍ୟ ସୁପ୍ରଭାଙ୍କୁ ସବୁ ପ୍ରକାରର ସହଯୋଗ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ରଶ୍ମିତାଙ୍କ ପିଠି ଓ ହାତରେ ଗଭୀର କ୍ଷତିଚିହ୍ନ ସୃଷ୍ଟି ହୋଇଛି।
ରଶ୍ମିତାଙ୍କୁ ବାପଘର ଲୋକ ମେଡିକାଲରେ ଚିକିତ୍ସା କରିବା ପରେ ଜୁଲାଇ ୯ ତାରିଖରେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଭୁବନ ପୋଲିସ ଜଗତସିଂହପୁର ଉଗ୍ରତାରା କଲୋନୀରୁ ଉଭୟ ଶାଶୂ ଓ ସ୍ବାମୀଙ୍କୁ ଗିରଫ କରିଛି । ଶାଶୂ ସୁପ୍ରଭା ଜେନା ଜଗସିଂହପୁର କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି ।
Powered by Froala Editor