ତାରିଖ ଓ ସମୟ ଘୋଷଣା କଲା ଇସ୍ରୋ : ୨୩ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩
କେବେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ ? ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ନିର୍ଦ୍ଧାରଣ କରିଛି ଇସ୍ରୋ। ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ କହିଛି।
ଚନ୍ଦ୍ରଯାନର ଲ୍ୟାଣ୍ଡର (ବିକ୍ରମ) ଏବଂ ରୋଭର (ପ୍ରଜ୍ଞାନ) ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ । ଏହି ଅବତରଣକୁ ଇସ୍ରୋର ଅଫିସିଆଲ ଓ୍ବେବସାଇଟ୍, ଫେସବୁକ ପେଜ୍ ଓ ୟୁଟ୍ୟୁବ ଚ୍ୟାନେଲ ତଥା ଦୂରଦର୍ଶନ ମାଧ୍ୟମରେ ସିଧାପ୍ରସାରଣ କରାଯିବ । ଏହା ପୂର୍ବରୁ ଅଗଷ୍ଟ ୧୮ ତାରିଖରେ ଲ୍ୟାଣ୍ଡର ମଡ୍ୟୁଲ୍ ଟି ଡିବଷ୍ଟିଂ ଦେଇ ଚନ୍ଦ୍ରର ସାମାନ୍ୟ ନିମ୍ନ କକ୍ଷପଥରେ ଅବତରଣ କରିଥିଲା। ଏହାର କିଛି ଘଣ୍ଟା ପରେ ଲ୍ୟାଣ୍ଡିଂ ସମୟ ସ୍ପଷ୍ଟ ହୋଇଛି।
ଇସ୍ରୋ ସୂଚନା ମୁତାବକ ଆସନ୍ତା ବୁଧବାର ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ୍ ଲ୍ୟାଣ୍ଡିଂ କରିବ। ସଫଳ ଡିବୁଷ୍ଟିଂ ପରେ ବର୍ତ୍ତମାନ ଲ୍ୟାଣ୍ଡର ବିକ୍ରମ 25 kmx134km କକ୍ଷପଥରେ ଚନ୍ଦ୍ରକୁ ପରିକ୍ରମା କରୁଛି।
ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ସଫଳ ହେଲେ ଲ୍ୟାଣ୍ଡର ବିକ୍ରମରୁ ରୋଭର୍ ପ୍ରଜ୍ଞାନ ବାହାରି ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ଏହି ସମୟରେ ଚନ୍ଦ୍ରପୃଷ୍ଠରୁ ସମସ୍ତ ତଥ୍ୟ ଯୋଗାଇବ।
ଭାରତର ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠ ପର୍ଯ୍ୟନ୍ତ ପହଞ୍ଚିଥିଲେ ବି ସେଠାରେ ମୃଦୁ ଅବତରଣ କରିପାରିନଥିଲା । ପୁଣି ଭାରତ ଗତ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ମହାକାଶକୁ ପ୍ରେରଣ କରିଥିଲା ।
Powered by Froala Editor