ସ୍ତ୍ରୀର ମୃତଦେହ ନେଇ ଫେରୁଥିବା ବେଳେ ଚାଲିଗଲା ସ୍ୱାମୀର ଜୀବନ
ବଲାଙ୍ଗିର : ସ୍ତ୍ରୀର ମୃତଦେହ ନେଇ ଘରକୁ ଫେରୁଥିବା ବେଳେ ବାଟରେ ଦୁର୍ଘଟଣା ଘଟି ଚାଲି ଯାଇଛି ସ୍ୱାମୀର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ।
ମୃତ ବ୍ୟକ୍ତିଙ୍କ ନାଁ ବିପିନ ସେଠ। ତାଙ୍କ ଘର ତୁରେଇକେଲା ବ୍ଲକ୍ ଅନ୍ତର୍ଗତ ଲର୍କି ଗାଁରେ।
ସୂଚନା ଅନୁଯାୟୀ, ବିପିନଙ୍କ ପତ୍ନୀ ସାଏବାନୀ ସେଠ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବିପିନ ଏକ ଘରୋଇ ଆମ୍ବୁଲାନ୍ସ ଭଡ଼ା କରି ସ୍ତ୍ରୀଙ୍କ ମୃତଦେହ ଧରି ଘରକୁ ଫେରୁଥିଲେ। ପଦ୍ମପୁର-ପାଟଣାଗଡ଼ ରାସ୍ତାର ଝୁଲେନବର ଗାଁ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ ବିପିନଙ୍କ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।
Powered by Froala Editor