ଗ୍ଲୋବାଲ ଟେଣ୍ଡରରୁ ଟିକା ମିଳିବା ନେଇ ଆଶଙ୍କା
ରାଜ୍ୟରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ମାଗଣା ସାମୁହିକ ଟିକାକରଣ ମାଧ୍ୟମରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡର ଫେଲ୍ ମାରିଛି। ଗ୍ଲୋବାଲ ଟେଣ୍ଡରରୁ ଓଡ଼ିଶାକୁ ବିଦେଶୀ କମ୍ପାନି କରୋନା ଟିକା ମିଳିବା ନେଇ ଆଶଙ୍କା ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୂଚନା ମିଳିଛି । ମନ୍ତ୍ରୀ ଲେଖିଛନ୍ତି ରାଜ୍ୟର ଟିକା ଆବଶ୍ୟକତା ପୁରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ିଂ କରାଯାଇଥିଲା । ହେଲେ ଏଥିରେ ସାମିଲ ହୋଇନଥିଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ।
ଏପରିକି ଗ୍ଲୋବାଲ ଟେଣ୍ଡର ଜରିଆରେ ଓଡ଼ିଶା ସରକାର ବିଦେଶୀ କମ୍ପାନି ଠାରୁ ଟିକା କିଣିବାକୁ ଚାହୁଁଛନ୍ତି । ହେଲେ ଅନ୍ୟ ରାଜ୍ୟରେ ହୋଇଥିବା ଗ୍ଲୋବାଲ ଟେଣ୍ଡରରେ କେହି ବିଦେଶୀ କମ୍ପାନୀ ରାଜ୍ୟକୁ ଟିକା ଯୋଗାଣ ପାଇଁ ରାଜି ହେଉନଥିବା ମିଡ଼ିଆ ରିପୋର୍ଟ ପ୍ରକାଶ ପାଇଛି । ମଡ଼ର୍ଣ୍ଣା ଓ ଫାଇଜର ଭଳି ବିଦେଶୀ କମ୍ପାନି କେବଳ କେନ୍ଦ୍ର ସରକାରଙ୍କ ସହ ଡ଼ିଲ କରିବାକୁ ଚାହୁଁଛନ୍ତି । ତେଣୁ ମନ୍ତ୍ରୀ ଚିଠିରେ ଲେଖିଛନ୍ତି କେନ୍ଦ୍ର ସରକାର ଏହି କମ୍ପାନି ଠାରୁ ଟିକା ଆଣି ରାଜ୍ୟକୁ ଯୋଗାଇ ଦିଅନ୍ତୁ । ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ।
ସୂଚନା ଅନୁଯାୟୀ ରାଜ୍ୟରେ ଆବଶ୍ୟକ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇ ଥିଲା । ସଫଳ ବିଡିଂ ହେଲେ ମେ' ୨୮ ପରେ ଆମେ ଟିକା କିଣିପାରିବା ବୋଲି ସେ କହିଥିଲେ । କିନ୍ତୁ ମନ୍ତ୍ରୀଙ୍କ ଚିଠି ପରେ ଗ୍ଲୋବାଲ ଟେଣ୍ଡର ସଫଳ ହେବା ନେଇ ଦ୍ୱନ୍ଦ୍ୱ ଉପୁଜିଛି ।
Powered by Froala Editor