ରାତି ଅଧରେ ଭାଙ୍ଗିଲା ପାକିସ୍ତାନ ସଂସଦ, ୩ ମାସ ମଧ୍ୟରେ ପୁଣି ଥରେ ହେବ ନିର୍ବାଚନ

ନୂଆଦିଲ୍ଲୀ: ରାତି ଅଧରେ ପାକିସ୍ତାନରେ ଦେଖିବାକୁ ମିଳିଛି ହାଇଡ୍ରାମା। ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜେଲ୍ ଚାରିକାନ୍ଥରେ ଥିବା ବେଳେ ଗତକାଲି ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ହେବ । ତେବେ ଏବେ ଜେଲ୍ରେ ବନ୍ଦୀ ଥିବା ୭୦ ବର୍ଷ ବୟସ୍କ ଇମ୍ରାନ ଖାନ ପୁଣି ଥରେ ନିର୍ବାଚନ ଲଢ଼ି ପାରିବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି। ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲି ୫ ବର୍ଷ କାର୍ୟ୍ୟକାଳ ପୂରଣ କରିବାର ୩ ଦିନ ପୂର୍ବରୁ ଭଙ୍ଗା ଯାଇଛି। ଏଥିସହ ଶାହବାଜ ଶରିଫଙ୍କ ଶାସନ କାଳ ମଧ୍ୟ ଶେଷ ହୋଇଛି। ସେ ଗତକାଲି ଶେଷଥର ସଂସଦରେ ନିଜ ଭାଷଣ ରଖିଥିଲେ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ସଂସଦ ଭଙ୍ଗ କରିବାକୁ ଅନୁରୋଧ କରିଥିଲେ। ପାକିସ୍ତାନ ସମ୍ବିଧାନ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସୁପାରିସ୍ର ୪୮ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନ କଲେ ତାହା ଆପେ ଆପେ ଭାଙ୍ଗି ଯାଇଥାଏ । ଆସନ୍ତା ୩ ଦିନ ମଧ୍ୟରେ ଦେଶର କେୟାରଟେକର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇ ନ ପାରିଲେ ଗୃହର ସ୍ପିକରଙ୍କ ଦ୍ୱାରା ଗଠିତ ସମିତି ନିକଟକୁ ଏହି ମାମଲା ପଠାଯିବ । ଉକ୍ତ ସମିତି ୩ ଦିନ ମଧ୍ୟରେ ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀଙ୍କ ନାଁରେ ମୋହର ଲଗାଇବ ।
ହେଲେ ବାଚସ୍ପତିଙ୍କ ଦ୍ୱାରା ଗଠିତ ସମିତି ବି ଏନେଇ କୌଣସି ନିଷ୍ପତ୍ତି ନେଇ ନ ପାରିଲେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିବା ପ୍ରାର୍ଥୀଙ୍କ ନାଁ ନିର୍ବାଚନ କମିଶନରଙ୍କ ନିକଟକୁ ପଠାଯିବ । ନିର୍ବାଚନ କମିଶନର ୨ ଦିନରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
Powered by Froala Editor