ବଦଳି ହେଲେ ୧୨୫ ଜଣ ଯନ୍ତ୍ରୀ

ଭୁବନେଶ୍ୱର: କ୍ଷେତ୍ର ସ୍ତର(ଫିଲଡ୍ ଲେଭଲ)ରେ କାର୍ୟ୍ୟ କରୁଥିବା ୧୨୫ଜଣ ଯନ୍ତ୍ରୀଙ୍କ ବଦଳି ହୋଇଛି । ଆଉ ସେମାନଙ୍କ ପରିବର୍ତ୍ତେ କୌଣସି ଯନ୍ତ୍ରୀଙ୍କ ଯୋଗଦାନକୁ ଅପେକ୍ଷା ନକରି ତୁରନ୍ତ ରିଲିଭ କରିବାକୁ ମଧ୍ୟ ସମ୍ପୃକ୍ତ ଯନ୍ତ୍ରୀମାନଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଜଳସମ୍ପଦ ବିଭାଗ ପକ୍ଷରୁ ୧୦୩ଜଣ ଆସିଷ୍ଟାଣ୍ଟ ଏକଜୁକ୍ୟୁଟିଭ ଇଞ୍ଜିନିୟର(ଏଇଇ)ଙ୍କୁ ପଦୋନ୍ନତି ସହ ଅନ୍ୟତ୍ର ବଦଳି ହୋଇଥିବାବେଳେ ଅନ୍ୟ ୨୨ଜଣ ଏକଜୁକ୍ୟୁଟିଭ ଇଞ୍ଜିନିୟର(ଏଇ)ଙ୍କ ବଦଳି ହୋଇଛି । ଏହି ସମସ୍ତ ଯନ୍ତ୍ରୀ ଫିଲଡ୍ ଲେଭଲରେ କାର୍ୟ୍ୟ କରୁଛନ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ ଅଗଷ୍ଟ ୨ତାରିଖରେ ସେମାନଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି । ଏହି ବଦଳି ନିର୍ଦ୍ଦେଶରେ ମହାନଦୀ ସିଷ୍ଟମରେ କାର୍ୟ୍ୟ କରୁଥିବା ଅଧିକାଂଶ ଯନ୍ତ୍ରୀମାନଙ୍କ ବଦଳି ହୋଇଛି ।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଫିଲଡ୍ ଲେଭଲରେ ଥିବା ଏହି ଯନ୍ତ୍ରୀମାନଙ୍କ ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିବାର ଏଭଳି କ’ଣ ଜରୁରୀ ଆବଶ୍ୟକତା ପଡ଼ିଲା? କାହିଁକି ବନ୍ୟା ପରିସ୍ଥିତି ସୁଧୁରିବା ପର୍ୟ୍ୟନ୍ତ ଅପେକ୍ଷା କଲାନି ବିଭାଗ? ଯାହାକୁ ନେଇ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି ।
Powered by Froala Editor