ଅଲ୍ କାଏଦା ଟାର୍ଗେଟ୍ରେ ଜମ୍ମୁ କାଶ୍ମୀର
ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ କାଏଦାର ଭାରତୀୟ ଉପମହାଦେଶ ଶାଖା ଏକ୍ୟୁଆଇଏସ୍ (ଅଲ୍ କାଏଦା ଇନ୍ ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍)ର ଟାର୍ଗେଟରେ ଏବେ ଜମ୍ମୁ କାଶ୍ମୀର ରହିଛି। ଜମ୍ମୁ କାଶ୍ମୀର ସହିତ ବାଂଲାଦେଶ ଏବଂ ମ୍ୟାନମାରରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା ଏକ୍ୟୁଆଇଏସ୍ ରଖିଛି। ଜାତିସଂଘ ନିରାପତ୍ତା ପରିଷଦର ବିଶ୍ଳେଷଣାତ୍ମକ ସହାୟତା ଏବଂ କଟକଣା ଅନୁଧ୍ୟାନ ଦଳ ପକ୍ଷରୁ ଅଲ୍ କାଏଦା ଏବଂ ଇସଲାମିକ ଷ୍ଟେଟ୍ ଅଫ୍ ଇରାକ ଆଣ୍ଡ୍ ସିରିୟା (ଆଇଏସ୍ଆଇଏସ୍)ର ବିଶ୍ବ କାର୍ଯ୍ୟକ୍ରମ ରିପୋର୍ଟରେ ଏହା କୁହାଯାଇଛି।
ରିପୋର୍ଟରେ ଦର୍ଶାଯାଇଛି ଯେ କାଶ୍ମୀର ଅପରେସନ ପାଇଁ ଏକ୍ୟୁଆଇଏସ୍ ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରୁଛି। ଆଫଗାନିସ୍ତାନରେ ପ୍ରାୟ ୨୦ଟି ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ଅଛନ୍ତି। ତେଣୁ ଏହାକୁ ବିଶ୍ବ ଆତଙ୍କବାଦର ପେଣ୍ଠସ୍ଥଳ ଭାବେ ବିବେଚନା କରାଯାଉଛି। ଆଫଗାନିସ୍ତାନକୁ ଅଲ କାଏଦା ଏହାର ଆଦର୍ଶଗତ ଏବଂ ଲଜିଷ୍ଟିକ୍ କେନ୍ଦ୍ର ଭାବେ ବ୍ୟବହାର କରୁଛି। ଏଥିସହିତ ଉକ୍ତ ସଂଗଠନ ଏହାର ପୁନର୍ଗଠନ କାର୍ଯ୍ୟ ଚଳାଇଛି। କୁନାର ଏବଂ ନୁରିସ୍ତାନ ପ୍ରଦେଶରେ ନୂଆ ତାଲିମ କେନ୍ଦ୍ର ସ୍ଥାପନ କରିଛି। ରିପୋର୍ଟରେ ଏକ୍ୟୁଆଇଏସର ମୁଖ୍ୟ ଭାବେ ଓସମା ମେହମୁଦ କାର୍ଯ୍ୟ କରୁଥିବା ଦର୍ଶାଯାଇଛି।
Powered by Froala Editor