ଓଡ଼ିଆ ଭାଷାରେ ପ୍ରକାଶ ପାଇଲା ହାଇକୋର୍ଟଙ୍କ ପ୍ରଥମ ରାୟ

କଟକ : ଓଡ଼ିଶା ହାଇକୋର୍ଟ ଏହାର ପ୍ରତିଷ୍ଠାର ୭୫ ବର୍ଷ ପୂରଣ କରିଛି। ୭୫ବର୍ଷ ପୂର୍ତ୍ତି ଅବସରରେ ହାଇକୋର୍ଟ ଅନେକ ଦୃଷ୍ଟାନ୍ତମୂଳକ କାର୍ୟ୍ୟକ୍ରମ ହାତକୁ ନେଇଛି। ଗତ ୨୪ ତାରିଖରେ ୭୫ଟି ମାମଲାର ରାୟ ଗୋଟିଏ ଖଣ୍ଡପୀଠ ଗୋଟିଏ ଦିନରେ ପ୍ରକାଶ କରିଥିଲେ। ଯାହା ଏକ ଉଲ୍ଲେଖନୀୟ ଘଟଣା ଥିଲା। ତେବେ ମଙ୍ଗଳବାର ହାଇକୋର୍ଟ ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଆ ଭାଷାରେ ହାଇକୋର୍ଟ ପକ୍ଷରୁ ଏକ ରାୟ ପ୍ରକାଶ ପାଇଛି। ଯାହା ହାଇକୋର୍ଟର ଆଞ୍ଚଳିକ ଭାଷାରେ ପ୍ରଥମ ରାୟ ବୋଲି କୁହାଯାଉଛି।
ସୌରଭ, ଏନ୍ଜିଓ ବନାମ ରାଜ୍ୟ ସରକାର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। ଜଷ୍ଟିସ ଡ. ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ମାମଲାର ରାୟ ଓଡ଼ିଆ ଭାଷାରେ ପ୍ରକାଶ କରିଛନ୍ତି। ଗତ ଜୁଲାଇ ୧୯ରେ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଥିଲେ। ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଏକ ନିର୍ଦ୍ଦେଶନାମାକୁ ବିରୋଧ କରି ଦାୟର ଏହି ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ ଓ ଏହାର ରାୟ ଓଡ଼ିଆରେ ପ୍ରକାଶ ପାଇଛି।
ପ୍ରକାଶ ଥାଉକି, ସୁପ୍ରିମକୋର୍ଟ ପକ୍ଷରୁ ଗତ ଜାନୁଆରୀ ୨୬ରୁ ବିଭିନ୍ନ ମାମଲାର ରାୟ ଆଞ୍ଚଳିକ ଭାଷାରେ ପ୍ରକାଶ କରିବା ପାଇଁ କାର୍ୟ୍ୟପନ୍ଥା ଗ୍ରହଣ କରାଯାଇଥିଲା। ଗତ ସାଧାରଣତନ୍ତ୍ର ଦିବସ ଅବସରରେ ୧୦୯୧ଟି ରାୟ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଭାଷାରେ ପ୍ରକାଶ ପାଇଥିଲା। ସେହି ସମୟରେ ଓଡ଼ିଆ ଭାଷାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ୨୧ଟି ରାୟ ପ୍ରକାଶ ପାଇଥିଲା। ଆସାମୀ, ବେଙ୍ଗଲି, ଗୁଜରାଟୀ, ହିନ୍ଦୀ, ମଣିପୁରୀ, କନ୍ନଡ଼, କାଶ୍ମିରୀ, ମାଲାୟଲମ, ମରାଠୀ, ଓଡ଼ିଆ, ଉର୍ଦ୍ଦୁ, ତେଲୁଗୁ, ସଂସ୍କୃତ ଆଦି ଭାଷା ରହିଥିବା ଜଣାପଡ଼ିଛି। ଏହି ପଦକ୍ଷେପକୁ ବିଭିନ୍ନ ହାଇକୋର୍ଟ ଗ୍ରହଣ କରିଥିବାବେଳେ ଓଡ଼ିଶା ହାଇକୋର୍ଟ ନିଜର ରାୟକୁ ପ୍ରଥମ କରି ଓଡ଼ିଆରେ ପ୍ରକାଶ କରିପାରିଛି।
Powered by Froala Editor