ମହିଳାଙ୍କ ନାମରେ ଅଧିକ ଜନ ଧନ ଖାତା

ଭୁବନେଶ୍ବର: ଓଡ଼ିଶାରେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୧.୯୯ କୋଟିରୁ ଅଧିକ ଜନ ଧନ ଖାତା ଖୋଲାଯାଇଛି। ଅଧିକାଂଶ ଖାତା ମହିଳାଙ୍କ ନାମରେ ଖୋଲାଯାଇଛି। ମୋଟ ଜନ ଧନ ଖାତା ମଧ୍ୟରୁ ମହିଳାମାନଙ୍କ ନାମରେ ୧ କୋଟି ୧୨ ଲକ୍ଷରୁ ଅଧିକ ଖାତା ଖୋଲାଯାଇଥିବା ବେଳେ ପୁରୁଷମାନଙ୍କ ନାମରେ ୮୭ ଲକ୍ଷ ୬୩ ହଜାରରୁ ଅଧିକ ଖାତା ଖୋଲାଯାଇଛି। ସର୍ବାଧିକ ଖାତା ବାଲେଶ୍ବର, କଟକ, ଗଞ୍ଜାମ, ମୟୂରଭଞ୍ଜ ଓ ବଲାଙ୍ଗୀର ଭଳି ଜିଲ୍ଲାରେ ଖୋଲାଯାଇଛି।
ତଥ୍ୟ ଅନୁଯାୟୀ, ବଲାଙ୍ଗୀରରେ ୧୦.୭୭ ଲକ୍ଷ, ବାଲେଶ୍ବରରେ ୧୩.୪୧ ଲକ୍ଷ, କଟକରେ ୧୦.୦୬ ଲକ୍ଷ, ଗଞ୍ଜାମରେ ୧୩.୭୭ ଲକ୍ଷ ଓ ମୟୂରଭଞ୍ଜରେ ୧୦.୪୭ ଲକ୍ଷରୁ ଅଧିକ ଜନ ଧନ ଖାତା ଖୋଲାଯାଇଛି। ରାଜ୍ୟରେ ଖୋଲାଯାଇଥିବା ମୋଟ ଖାତା ମଧ୍ୟରୁ ୧ କୋଟି ୫୬ ଲକ୍ଷରୁ ଅଧିକ ଖାତା ଗ୍ରାମାଞ୍ଚଳରେ ଖୋଲାଯାଇଥିବା ବେଳେ ୪୩.୩୧ ଲକ୍ଷରୁ ଅଧିକ ଖାତା ସହରାଞ୍ଚଳରେ ଖୋଲାଯାଇଛି। ଜନ ଧନ ଖାତାଗୁଡ଼ିକରେ ୮,୭୬୫.୧୮ କୋଟି ଟଙ୍କାରୁ ଅଧିକ ଜମା ରାଶି ରହିଛି। ରାଜ୍ୟର ଜନ ଧନ ଖାତା ଗ୍ରାହକମାନଙ୍କୁ ୧ କୋଟି ୪୪ ଲକ୍ଷ ୨୬ ହଜାର ୩୭୬ ରୁପେ କାର୍ଡ ଜାରି କରାଯାଇଛି। ୧ କୋଟି ୫୫ ଲକ୍ଷ ୪୮ ହଜାର ୪୬୧ ଖାତା ସହିତ ଆଧାର ଲିଙ୍କ୍ କରାଯାଇଛି।
ଜନ ଧନ ଖାତା ଭିତରେ ଜିରୋ ବାଲାନ୍ସ ଥିବା ଖାତା ସଂଖ୍ୟା ୧୨ ଲକ୍ଷ ୭୫ ହଜାର ୬୩୬ ରହିଛି। କଟକରେ ସର୍ବାଧିକ ୮୨,୪୬୭ ଜିରୋ ବାଲାନ୍ସ ଖାତା ଥିବା ବେଳେ ବାଲେଶ୍ବରରେ ୭୪,୫୯୫, ମୟୂରଭଞ୍ଜରେ ୭୩,୦୬୧, ଗଞ୍ଜାମରେ ୭୧,୮୭୩, ଖୋର୍ଦ୍ଧାରେ ୭୧,୦୯୩, କୋରାପୁଟରେ ୭୧,୦୦୬, ଭଦ୍ରକରେ ୬୦,୪୩୩, ବଲାଙ୍ଗୀରରେ ୫୯,୭୭୬, ଯାଜପୁରରେ ୬୯,୯୦୨, ପୁରୀରେ ୫୮,୬୦୩ ଜିରୋ ବାଲାନ୍ସ ଖାତା ରହିଛି।
Powered by Froala Editor