ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା: ୨୪ ଘଣ୍ଟାରେ ୩୪ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଜନିତ କାରଣ ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି। ୧୭ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବାବେଳେ ୧୨ ଜଣଙ୍କର ପାଣିରେ ବୁଡ଼ି ଏବଂ ଅନ୍ୟ ୫ ଜଣଙ୍କର ବର୍ଷା ଯୋଗୁଁ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଯୋଗୀ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇବା ପାଇଁ ଯୋଗୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆହତମାନଙ୍କର ଉପଯୁକ୍ତ ଚିକିତ୍ସା କରିବାପାଇଁ ଯୋଗୀ କହିଛନ୍ତି। ରିଲିଫ କମିସନରଙ୍କ ଅଫିସ ଅନୁଯାୟୀ ଜଲୌନ, କାନପୁର ଦେହତ, କନୌଜ, ଗାଜିପୁରରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ବାଗପତ, ଇଟାୱା, ଉନ୍ନାଓ, ଆଗ୍ରା, ବଲ୍ଲିଆରେ ଜଣେ ଲେଖାଏଁ ବ୍ୟକ୍ତି ଏବଂ ମୈନପୁରୀରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ସନ୍ଥ କବୀର ନଗରରେ ଜଣଙ୍କର ମୃତ୍ୟୁ ହୋଇଛି। ବଦୌଁରେ ୨ ଜଣ, ବରେଲିରେ ୪ ଜଣ, ରାଏ ବରେଲିରେ ୫ ଜଣ ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି।
ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ଏବଂ ବିଶେଷ କରି ପୂର୍ବାଞ୍ଚଳରେ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି। ଉତ୍ତରପ୍ରଦେଶରେ ଚଳିତ ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ୧୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ନଦୀ ଗୁଡ଼ିକରେ ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରାଜ୍ୟରେ ୭୫ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାରେ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା, ରାମଗଙ୍ଗା ଏବଂ ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଇଛି।
Powered by Froala Editor