କୋଟିଏ ଟଙ୍କା ହେରଫେର ଅଭିଯୋଗରେ ବରିଷ୍ଠ କିରାଣୀଙ୍କ ନାଁରେ ଏତଲା
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ତହସିଲ କାର୍ଯ୍ୟାଳୟର ସରକାରୀ ଟଙ୍କାରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ (ନlଜିର) ଙ୍କ ନାମରେ ଡାବୁଗାଁ ଥାନାରେ ଏତଲା ଦେଲେ ତହସିଲଦାର। ପୋଲିସ କିରାଣୀକୁ ଥାନାରେ ଅଟକ ରଖିଛି।
ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ନାଜିର (ବରିଷ୍ଠ କିରାଣୀ) ଚନ୍ଦନା ମଣ୍ଡଳ ତହସିଲ କାର୍ଯ୍ୟାଳୟର ସରକାରୀ ଟଙ୍କାକୁ ହେରଫେର କରିଥିବା ଜଣାପଡିଥିଲା। ଏକଥା ଜାଣିବା ପରେ ତହସିଲଦାର ସନ୍ଧ୍ୟା ସମରଥ ଏନେଇ ଖୋଳତାଡ଼ କରିବାରୁ ସରକାରୀ ଟଙ୍କା ହେରଫେର ହୋଇଛି ବୋଲି ନିଶ୍ଚିତ ହେବା ପରେ ସେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ଓ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରୋଇତ ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଶ୍ରୀ ରୋଇତ ଥାନାରେ ସମ୍ପୃକ୍ତ କିରାଣୀଙ୍କ ନାମରେ ଥାନାରେ ଏତଲା ଦେବାକୁ ନିର୍ଦେଶ ଦେବାପରେ ଡାବୁଗାଁ ତହସିଲଦାର ଡାବୁଗାଁ ଥାନାରେ ସମ୍ପୃକ୍ତ ମହିଳା (କିରାଣୀ)ଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି।
ଆଜି ଡାବୁଗାଁ ପୋଲିସ ସମ୍ପୃକ୍ତ କିରାଣୀକୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ଯୋଗୁଁ ପୋଲିସ ହେପାଜତରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଥିବା ପୋଲିସ ସୂଚନା ଦେଇଛି।
ଏପଟେନବରଙ୍ଗପୁର ଜିଲ୍ଲାପାଳ ସମ୍ପୃକ୍ତ କିରାଣୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ଡାବୁଗାଁ ତହସିଲରୁ ତେନ୍ତୁଳୀଖୁଣ୍ଟି ତହସିଲକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେବାସହ ପରବର୍ତୀ ଆଦେଶ ନ ମିଳିବା ଯାଏଁ ହେଡ଼କ୍ଵାଟର ନ ଛାଡିବାକୁ ନିର୍ଦେଶ ଦେଇଛନ୍ତି।
Powered by Froala Editor