୨୦୨୫ ସୁଦ୍ଧା ସବୁ ଟ୍ରକ୍ କ୍ୟାବିନରେ ଲାଗିବ AC
୨୫ରୁ ଦେଶର ସମସ୍ତ ଟ୍ରକ୍ କ୍ୟାବିନ୍କୁ ଶୀତତାପ ନିୟନ୍ତ୍ରିତ ବା AC କରାଯିବ। ଏହାକୁ ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ ଆଦେଶ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ। ଭାରତୀୟ ଡ୍ରାଇଭରମାନଙ୍କ ଉପରେ ଆଧାରିତ ପୁସ୍ତକ 'ଦେଶ ଚାଳକ'ର ଉନ୍ମୋଚନ ଅବସରରେ ଗଡ଼କରୀ ଏହା କହିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପରିବହନ କ୍ଷେତ୍ରରେ ଡ୍ରାଇଭରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଠିନ କାର୍ଯ୍ୟ ଅବସ୍ଥା ଏବଂ ରାସ୍ତାରେ ଦୀର୍ଘ ସମୟ ଡ୍ରାଇଭରଙ୍କ ଥକାପଣ ଏବଂ ଦୁର୍ଘଟଣା ପାଇଁ ଦାୟୀ ବୋଲି ବିବେଚନା କରାଯାଏ । ତେବେ ଭୋଲଭୋ ଭଳି ବହୁରାଷ୍ଟ୍ରକୀୟ ଟ୍ରକ୍ ନିର୍ମାତା କମ୍ପାନି ଏସି କେବିନ୍ ତିଆରି କରୁଛନ୍ତି, ଏଣୁ ଭାରତୀୟ କମ୍ପାନି କାହିଁକି ନିର୍ମାଣ କରିପାରିବେ ନାହିଁ ? ଏହାକୁ ନେଇ ଭାରତରେ ଅନେକ ବର୍ଷ ଧରି ବିତର୍କ ଚାଲିଥିଲା । ଏବେ ବହୁ ବିଚାର ବିମର୍ଷ ପରେ ଭାରତୀୟ ଟ୍ରକ୍ କଂପାନିମାନଙ୍କ ପାଇଁ ୨୦୨୫ରୁ ଏସି କ୍ୟାବିନ୍ ତିଆରି କରିବା ବାଧ୍ୟତାମୂଳକ କରାଯାଇଛି ।
ବର୍ତ୍ତମାନ ଏସି କ୍ୟାବିନ୍ ହେଲେ ଡ୍ରାଇଭରମାନଙ୍କୁ ବହୁତ ଆରାମ ମିଳିବ। ନୀତୀନ ଗଡ଼କରୀ ଆହୁରି କହିଛନ୍ତି, 'ଆମ ଦେଶରେ କିଛି ଡ୍ରାଇଭର ୧୨ କିମ୍ବା ୧୪ ଘଣ୍ଟା ଟ୍ରକରେ ବିତାନ୍ତି। ହେଲେ ଅନ୍ୟ ଦେଶରେ ବସ୍ ଏବଂ ଟ୍ରକ୍ ଡ୍ରାଇଭରମାନଙ୍କ ଡ୍ୟୁଟିରେ ରହିବା ସମୟ ଉପରେ ପ୍ରତିବନ୍ଧକ ରହିଛି। ଆମ ଡ୍ରାଇଭରମାନେ ୪୩ରୁ ୪୭ ଡିଗ୍ରୀ ତାପମାତ୍ରାରେ ଗାଡ଼ି ଚଲାନ୍ତି। ତେଣୁ ଆମେ ଡ୍ରାଇଭରମାନଙ୍କର ଅବସ୍ଥା କଳ୍ପନା କରିବା ଉଚିତ୍'।
Powered by Froala Editor